Unknown

 

 

 

 

 

 

 

 

 

 

 

ଆମ ରୋଗର ରହସ୍ୟ

ଡାକ୍ତର କମଳା ପାତ୍ର

 

ପଢ଼ିବା ଆଗରୁ ପଦେ........

 

ରୋଗ ହେଉଛି ମଣିଷର ଚିରଶତ୍ରୁ । ମଣିଷ ଯେତେ ସୁନ୍ଦର, ସୁସ୍ଥ ଓ ସବଳ ହୋଇଥିଲେ ମଧ୍ୟ ସେତେବେଳେ ଯେତେବେଳେ ରୋଗରେ ଆକ୍ରାନ୍ତ ହୁଏ, ସେ ଦୁର୍ବଳ ହୋଇପଡ଼େ ଓ ନିଜକୁ ଅସହାୟ ମନେ କରେ । ବିଶେଷତଃ ଶିଶୁମାନେ ହିଁ ଆମ ଦେଶର ଭବିଷ୍ୟତ । ସେମାନଙ୍କର ନିରାପତ୍ତା ଉପରେ ଜାତିର ଭବିଷ୍ୟତ ନିର୍ଭର କରେ । ତେଣୁ ଆମ ଦେଶରେ ଦେଖା ଯାଉଥିବା ସାଧାରଣ ରୋଗ ବିଷୟରେ ପିତାମାତା ତଥା ପିଲାମାନେ ଯଦି ପ୍ରଥମରୁ ସଜାଗ ରୁହନ୍ତି, ତେବେ ଶିଶୁ ମୃତ୍ୟୁହାର ସଂଖ୍ୟା କମିବା ସଙ୍ଗେ ସଙ୍ଗେ ଦେଶ ଉନ୍ନତ ତଥା ସମୃଦ୍ଧଶାଳୀ ହୋଇପାରିବ । ତେଣୁ ‘‘ଆମ ରୋଗର ରହସ୍ୟ” ପୁସ୍ତକଟିରେ ପିଲାମାନଙ୍କ ବୁଝିବା ଭଳି ସହଜ ଓ ସରଳ ଭାଷାରେ ରୋଗ କିପରି ହୁଏ, ରୋଗର ପ୍ରସାର ତଥା ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ଲେଖାଯାଇଛି । ଏହି ପୁସ୍ତକଟି ପଢ଼ି ଜନସାଧାରଣ ତଥା ପିଲାମାନେ ଯଦି ବିଭିନ୍ନ ରୋଗପ୍ରତି ପ୍ରଥମରୁ ଧ୍ୟାନ ଦିଅନ୍ତି, ତେବେ ରୋଗର ଭୟାବହତା ହ୍ରାସ ପାଇବା ସହିତ ସମସ୍ତେ ନିରୋଗ ଜୀବନଯାପନ କରି ପାରିବେ ବୋଲି ଆଶା ଓ ବିଶ୍ୱାସ ।

 

ଡ. କମଳା ପାତ୍ର

Image

 

ସୂଚୀପତ୍ର

 

୧.

ସର୍ଦ୍ଦି ଜ୍ୱର ବା ଇନ୍‌ଫ୍ଲୁଏଞ୍ଜା

୨.

ଡିପ୍‌ଥୋରିଆ

୩.

ଲହରା କାଶ

୪.

ହାଡ଼ଫୁଟି

୫.

ମିଳିମିଳା

୬.

ଗାଲୁଆ

୭.

ଯକ୍ଷ୍ମା

୮.

ହଇଜା

୯.

ଆନ୍ତ୍ରିକ ଜ୍ୱର ବା ଟାଇଫଏଡ଼୍

୧୦.

ଆମାଶୟ ବା ଡିସେଣ୍ଟ୍ରି

୧୧.

ଡାଇରିଆ

୧୨.

ପାଳିଜ୍ୱର

୧୩.

ବାତଜ୍ୱର

୧୪.

ଅଙ୍କୁଶ କୃମି ବା ହୁକ୍ ଓ ଓ୍ୱାର୍ମ

୧୫.

ଜିଆ ବା କେଞ୍ଚୁଆ

Image

 

ମଣିଷ ଜୀବନରେ ସ୍ଵାସ୍ଥ୍ୟ ଏକ ମୁଖ୍ୟ ସ୍ଥାନର ଅଧିକାରୀ । ସୁତରଂ ଉତ୍ତମ ସ୍ଵାସ୍ଥ୍ୟ ରକ୍ଷା କରିବା ମଣିଷ ଜୀବନର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ । କିନ୍ତୁ ସାଧାରଣ ଲୋକେ ସ୍ୱାସ୍ଥ୍ୟ ସର୍ମ୍ପକରେ ବିଶେଷ ସଚେତନ ନୁହନ୍ତି । ସ୍ୱାସ୍ଥ୍ୟ କହିଲେ ଠିକ୍ କ’ଣ ବୁଝାଯାଏ, ସେ ବିଷୟରେ ମଧ୍ୟ ଅଧିକାଂଶ ଅନଭିଜ୍ଞ । ସାଧାରଣତଃ ଶରୀରର କାର୍ଯ୍ୟଦକ୍ଷତାକୁ ହିଁ ସ୍ଵାସ୍ଥ୍ୟ କୁହାଯାଏ । କେବଳ ନୀରୋଗ ଅବସ୍ଥାକୁ ସ୍ୱାସ୍ଥ୍ୟ କୁହାଯାଇ ନ ପାରେ । ମନୁଷ୍ୟର ମନ ସହିତ ସ୍ୱାସ୍ଥ୍ୟର ଘନିଷ୍ଠ ସମ୍ପର୍କ ରହିଛି । ସେଥିପାଇଁ ମାନସିକ ଅଶାନ୍ତ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ । ମାନସିକ ଅଶାନ୍ତି ଫଳରେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବରେ କାର୍ଯ୍ୟ କରିପାରେ ନାହିଁ । ସ୍ଵାସ୍ଥ୍ୟ ନଷ୍ଟ ନ ହେଲା ପର୍ଯ୍ୟନ୍ତ ସାଧାରଣ ଲୋକେ ସ୍ଵାସ୍ଥ୍ୟର ମୂଲ୍ୟ ହୃଦୟଙ୍ଗମ କରିପାରନ୍ତି ନାହିଁ । ସାଧାରଣତଃ ଶରୀର, ମନ ଓ ସାମାଜିକ ସୁସ୍ଥତାକୁ ସ୍ଵାସ୍ଥ୍ୟ କୁହାଯାଇଥାଏ । ସୁତରାଂ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଆବଶ୍ୟକୀୟ ନିୟମ ଅନୁସରଣ କରିବା ସଙ୍ଗେ ସଙ୍ଗେ ଶରୀର ଓ ମନକୁ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବା ଉଚିତ । ତେଣୁ ପ୍ରାକୃତିକ ପରିବେଶ ମଧ୍ୟରେ ରହି କିପରି ଉତ୍ତମ ସ୍ଵାସ୍ଥ୍ୟ ରକ୍ଷା କରାଯାଇପାରିବ; ତାହା ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ଜ୍ଞାନରୁ ମିଳିଥାଏ ।

 

ଶରୀର ହେଲା ଗୋଟିଏ ବଡ଼ କାରଖାନା । ଶରୀରକୁ ମଧ୍ୟ ଗୋଟିଏ କଳଘଡ଼ି ସହିତ ତୁଳନା କରା ଯାଇପାରେ । କଳଘଡ଼ିରେ ଯେପରି ଅସଂଖ୍ୟ ଯନ୍ତ୍ର ଥାଏ ଶରୀରରେ ମଧ୍ୟ ସେହିପରି ଅସଂଖ୍ୟ ଯନ୍ତ୍ର ରହିଅଛି । ସାମାନ୍ୟ ଗୋଟିଏ କଳଘଡ଼ିରେ ଧୂଳିମଳି ଲାଗିଲେ ତାହା ଯେପରି ଅଚଳ ହୋଇଯାଏ, ସେହିପରି ଶରୀର ମଧ୍ୟକୁ ବାହାରର ଧୂଳିମଳି ପଶିଗଲେ ଶରୀରର ବିଶେଷ କ୍ଷତି ଘଟିବା ସଙ୍ଗେ ସଙ୍ଗେ ଏହା ବିଭିନ୍ନ ରୋଗର କାରଣ ମଧ୍ୟ ହୋଇଥାଏ । ସୁତରାଂ ଶରୀରକୁ ସୁସ୍ଥ ଓ ସବଳ ରଖିବାକୁ ହେଲେ ସମସ୍ତଙ୍କର ସ୍ୱାସ୍ଥ୍ୟ ବିଜ୍ଞାନ ସମ୍ପର୍କରେ ଧାରଣା ରହିବା ଉଚିତ ।

 

ଆମ ଚତୁଃପାର୍ଶ୍ୱରେ ଥିବା ବାୟୁମଣ୍ଡଳ ସର୍ବଦା ଧୂଳିମଳିରେ ପୂର୍ଣ୍ଣ ଥାଏ । ପବନ ସହିତ ଆମ ପ୍ରଶ୍ୱାସ ବାୟୁରେ ସେହି ଜୀବାଣୁ ପୂର୍ଣ୍ଣ ଧୂଳିମଳି ଦେହ ଭିତରକୁ ଯାଇଥାଏ । ରକ୍ତରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଏହି ଜୀବାଣୁମାନଙ୍କ ସହିତ ସଂଘର୍ଷ କରି ଏମାନଙ୍କୁ ମାରି ଦିଅନ୍ତି । ମାତ୍ର ଜୀବାଣୁମାନେ ଯେତେବେଳେ ବଳବାନ ହୋଇଥାନ୍ତି ଏବଂ ସଂଘର୍ଷରେ ମରନ୍ତି ନାହିଁ, ଯେତେବେଳେ ସେମାନେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିଥାନ୍ତି । ଏହିପରି ଶରୀର ନିଜକୁ ଜୀବାଣୁମାନଙ୍କ ଦାଉରୁ ସର୍ବଦା ବଞ୍ଚାଇ ରଖିବାକୁ ଚେଷ୍ଟା କରିଥାଏ ।

 

ରୋଗ ସାଧାରଣତଃ ଦୁଇ ପ୍ରକାର । ଯଥା—ସାଧାରଣ ରୋଗ ଓ ସଂକ୍ରାମକ ରୋଗ । ଖାଦ୍ୟପାନର ବ୍ୟତିକ୍ରମ ଘଟିବା, କୌଣସି ପ୍ରକାର ବିଷାକ୍ତ ଜିନିଷ ଦେହ ଭିତରକୁ ଯିବା, ଦେହ ଭିତରେ ବିଭିନ୍ନ ଯନ୍ତ୍ର ନଷ୍ଟ ବା ଅକ୍ଷମ ହୋଇଯିବା ଆଦି କାରଣରୁ ଯେଉଁ ରୋଗ ହୁଏ, ତାହାକୁ ସାଧାରଣ ରୋଗ କୁହାଯାଏ । ଯଥା—ବହୁମୂତ୍ର, କୋଷ୍ଠକାଠିନ୍ୟ ଓ ଅଗ୍ନିମାନ୍ଦ୍ୟ ଇତ୍ୟାଦି । ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ବୀଜ ନ ଥାଏ । ମାତ୍ର ଯେଉଁ ରୋଗ ଜଣକ ଦେହରୁ ଅନ୍ୟ ଜଣକ ଦେହକୁ ଡିଏଁ, ତାହାକୁ ସଂକ୍ରାମକ ରୋଗ କୁହାଯାଏ । ହଇଜା, ବସନ୍ତ, ଯକ୍ଷ୍ମା, ପାଳିଜ୍ୱର ଇତ୍ୟାଦି ସଂକ୍ରାମକ ରୋଗର ଅନ୍ତର୍ଭୁକ୍ତ ଏବଂ ଏହାର ନିର୍ଦ୍ଦିଷ୍ଟ ବୀଜ ଥାଏ ।

 

ଗଛ ମଞ୍ଜି କିମ୍ବା ମାଛ ବିହନ ପରି ସଂକ୍ରାମକ ରୋଗର ବୀଜଗୁଡ଼ିକ ଏକ ପ୍ରକାର ଜୀବନ୍ତ ବସ୍ତୁ । ସେମାନେ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ । ସେମାନଙ୍କୁ ଦେଖିବା ପାଇଁ ଅଣୁବୀକ୍ଷଣ ଯନ୍ତ୍ର ଦରକାର । ଏହାକୁ ଜୀବାଣୁ କହନ୍ତି । ହଇଜା ଯକ୍ଷ୍ମା, କଣ୍ଠଅଳତି ଇତ୍ୟାଦି ରୋଗ ଏହିପରି ଜୀବାଣୁମାନଙ୍କ ଦ୍ୱାରା ହୋଇଥାଏ । ଜୀବାଣୁମାନଙ୍କଠାରୁ ଆହୁରି କ୍ଷୁଦ୍ର, ସୂକ୍ଷ୍ମ ବୀଜାଣୁକୁ ଅଣୁ ବୀଜାଣୁ ବା ଭୂତାଣୁ କୁହାଯାଏ । ସର୍ଦ୍ଦିଜ୍ୱର, ମିଳିମିଳା, ହାଡ଼ଫୁଟି ଇତ୍ୟାଦି ରୋଗ ଏହି ଭୂତାଣୁ ଦ୍ଵାରା ହୋଇଥାଏ । ଅନେକ ଜୀବାଣୁ ରୋଗବାହୀ କୀଟ ପତଙ୍ଗମାନଙ୍କ ମଧ୍ୟରେ ବଢ଼ି ସାରିଲା ପରେ ଉକ୍ତ କୀଟପତଙ୍ଗଙ୍କ ଦଂଶନଦ୍ୱାରା ମନୁଷ୍ୟ ଦେହରେ ପ୍ରବେଶ କରି ରୋଗ ସୃଷ୍ଟି କରନ୍ତି । ପାଳିଜ୍ୱର ବା ବାତଜ୍ୱର ଇତ୍ୟାଦି ରୋଗ ମାଈମଶା ମାଧ୍ୟମରେ ଏସବୁ କୀଟାଣୁମାନଙ୍କ ଦ୍ୱାରା ହୋଇଥାଏ । ଏହା ବ୍ୟତୀତ ଆମ ଦେଶରେ ଦେଖା ଯାଉଥବା କୃମିପୋକଗୁଡ଼ିକ ଖୁବ୍‌ ବଡ଼ ଏବଂ ଏହା ଖାଲି ଆଖିରେ ଦେଖାଯାଏ । କୃମିପୋକର ଡିମ୍ୱଗୁଡ଼ିକ ରୋଗର ଝାଡ଼ାବାଟେ ବାହାରକୁ ଆସି ଖାଦ୍ୟ ଓ ପାନୀୟ ସହିତ ମିଶି ଅନ୍ୟ ଲୋକ ଦେହ ଭିତରକୁ ଯାଇ ରୋଗ ସୃଷ୍ଟି କରେ । ଦଶିପୋକ, ଆଙ୍କୁଶ କୃମି ଓ କେଞ୍ଚୁଆ ଇତ୍ୟାଦି ଏହି କୃମିପୋକର ଅନ୍ତର୍ଭୁକ୍ତ ।

 

ରୋଗୀ ସହିତ ମିଳାମିଶା କରିବା, ରୋଗୀକୁ ଛୁଇଁବା କିମ୍ୱା ରୋଗୀର କାଶ ଓ ଛିଙ୍କ ମାଧ୍ୟମରେ ବିଭିନ୍ନ ରୋଗ ସୁସ୍ଥଲୋକକୁ ପ୍ରତ୍ୟକ୍ଷ ଭାବରେ ଆକ୍ରମଣ କରିଥାଏ । ଏହା ବ୍ୟତୀତ ରୋଗୀର ପ୍ରତ୍ୟକ୍ଷ ସମ୍ପର୍କରେ ନ ଆସି ମଧ୍ୟ ବାୟୁ, ଜଳ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ମାଧ୍ୟମରେ ସୁସ୍ଥଲୋକ ବିଭିନ୍ନ ରୋଗରେ ପରୋକ୍ଷ ଭାବରେ ଆକ୍ରାନ୍ତ ହୋଇଥାନ୍ତି । ଜୀବାଣୁଗୁଡ଼ିକ ସୁସ୍ଥ ଲୋକର ଶ୍ୱାସପଥ, ପରିପାକ ନଳୀ ଏବଂ ଚର୍ମ ଦ୍ୱାରା ଦେହରେ ପ୍ରବେଶ କରି ରୋଗ ଜନ୍ମାଇଥାଏ-

 

ତେଣୁ ଆମ ଦେଶରେ ଦେଖାଯାଉଥବା ସାଧାରଣ ରୋଗଗୁଡ଼ିକ ଦାଉରୁ ରକ୍ଷା ପାଇବାକୁ ହେଲେ, ଏହା କିପରି ପ୍ରସାର ଲାଭ କରେ, ଏହାର ପ୍ରତିଷେଧକ ବ୍ୟବସ୍ଥା ତଥା ଘରୋଇ ଚିକିତ୍ସା ସମ୍ବନ୍ଧରେ ଯଦି ସର୍ବସାଧାରଣ ଜାଣି ପାରନ୍ତି ଏବଂ ରୋଗ ଆରମ୍ଭରୁ ଏଥିପ୍ରତି ସଚେତନ ହୁଅନ୍ତି ତେବେ ଏହା ବହୁତ ପରିମାଣରେ ହ୍ରାସ ପାଇବ । ଏହାଦ୍ଵାରା ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ହେବା ସହିତ ଅକାଳ ମୃତ୍ୟୁହାର ମଧ୍ୟ କମିଯିବ । ତେଣୁ ସମସ୍ତଙ୍କର ବିଭିନ୍ନ ରୋଗ ସମ୍ବନ୍ଧରେ ଅଳ୍ପ ବହୁତ ଜାଣିବା ଉଚିତ । ଏହାଦ୍ୱାରା ଦେଶ ତଥା ଜାତିର ଉନ୍ନତି ହେବା ସଙ୍ଗେ ସଙ୍ଗେ ଜୀବନର ମାନ ମଧ୍ୟ ବୃଦ୍ଧି ଲାଭ କରିବ ।

Image

 

ସର୍ଦ୍ଦିଜ୍ୱର ବା ଇନ୍‌ଫ୍ଳୁଏଞ୍ଜା

 

ଏହା ଏକ ସଂକ୍ରାମକ ରୋଗ । ଏହି ରୋଗ ଅନେକଗୁଡ଼ିଏ ଭୂତାଣୁଦ୍ୱାରା ବ୍ୟାପିଥାଏ । ଏହା ପୃଥିବୀର ସବୁ ଦେଶରେ ଦେଖାଯାଏ ଏବଂ ଏକ ସମୟରେ ବହୁତ ଲୋକଙ୍କୁ ଆକ୍ରମଣ କରିଥାଏ । ଏହି ରୋଗ ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧପର୍ଯ୍ୟନ୍ତ ସବୁ ବୟସର ଲୋକଙ୍କୁ ଆକ୍ରମଣ କରିଥାଏ । ଏହି ରୋଗ ଭାରତବର୍ଷରେ ବହୁଳ ଭାବରେ ଦେଖାଯାଏ । ଗ୍ରୀଷ୍ମଋତୁ ବ୍ୟତୀତ ଶୀତ ଓ ବସନ୍ତଋତୁ ଆରମ୍ଭରେ ମଧ୍ୟ ଏହି ରୋଗ ଦେଖାଦିଏ । ରୋଗୀର ଗଳା ଓ ନାକରୁ ବାହାରୁଥିବା ଖଙ୍କାର, ସିଂଘାଣି ଓ ଛିଙ୍କ ଦ୍ୱାରା ଅଣୁ ଜୀବାଣୁଗୁଡ଼ିକ ବାୟୁମଣ୍ଡଳରେ ମିଶି ରହିଥାଏ । ରୋଗୀ ବ୍ୟବହାର କରୁଥିବା ରୁମାଲ୍‍, ତଉଲିଆ ପ୍ରଭୃତି ଯଦି ସୁସ୍ଥଲୋକ ବ୍ୟବହାର କରେ ତେବେ ଏହି ରୋଗଦ୍ୱାରା ସେ ଆକ୍ରାନ୍ତ ହୋଇଥାଏ ।

 

ଏହି ରୋଗ ହେଲେ ଦେହ ହାତ ଘୋଳାବିନ୍ଧା ହୋଇ ଜ୍ୱର ହୁଏ । ନାକରୁ ପାଣି ପରି ସର୍ଦ୍ଦି ବାହାରେ । ମୁଣ୍ଡ ବଥାଏ । ରୋଗୀକୁ କାମ କରିବାକୁ ଇଚ୍ଛା ହୁଏ ନାହିଁ କି କିଛି ଖାଇବାକୁ ଇଚ୍ଛା ହୁଏ ନାହିଁ । ଜ୍ୱର ବେଳେବେଳେ ୧୦୩ଡିଗ୍ରୀ କିମ୍ୱା ୧୦୪ଡିଗ୍ରୀ ବଢ଼ିଯାଏ । ଏହି ଜ୍ୱର ସାଧାରଣତଃ ସାତ ଆଠ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ ।

 

ଏହି ରୋଗରୁ ରକ୍ଷା ପାଇବା ପାଇଁ ଇନ୍‌ଫ୍ଳୁଏଞ୍ଜା ଟିକା ନେବା ଏକାନ୍ତ ଆବଶ୍ୟକ । ଏହି ଟିକା, ରୋଗ ଦେଖାଦେବାର ସପ୍ତାହକ ପୂର୍ବରୁ କିମ୍ବା ଯେଉଁ ଋତୁରେ ଏହା ବେଶୀ ଦେଖାଯାଏ, ତାହାର ଦୁଇ ତିନି ମାସ ଆଗରୁ ନେବା ଦରକାର । ମାତ୍ର ଏହା ସବୁ ସମୟରେ ସମ୍ଭବ ହେଉନଥିବାରୁ ଏହି ଟିକା ରୋଗର ପ୍ରସାରକୁ କମାଇବାରେ ବିଶେଷ ସହାୟକ ହୋଇ ନଥାଏ ।

 

ପ୍ରତିଷେଧକ ବ୍ୟବସ୍ଥା :

 

ରୋଗୀକୁ ଗୋଟିଏ ଅଲଗା ଘରେ ରଖିବା ଉଚିତ । ବେଶୀ ଲୋକ ସେହି ଘର ଭିତରକୁ ଯିବା କିମ୍ୱା ରୋଗୀ ସହିତ ମିଳାମିଶା କରିବା ଉଚିତ ନୁହେଁ । ଦିନକୁ ୨।୩ଥର ଗଳାକୁ ଉଷୁମ ପାଣିରେ ସଫା କରିବା ଦରକାର । ଏହି ରୋଗର ଉପଯୁକ୍ତ ଔଷଧ ନଥିଲେ ମଧ୍ୟ ରୋଗୀର ଛାତିରେ କଫ ଜମାହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଉଚିତ ।

Image

 

କଣ୍ଠ ଅଳତି ବା ଡିପଥେରିଆ

 

କଣ୍ଠ ଅଳତି ଗୋଟାଏ ମାରାତ୍ମକ ସଂକ୍ରାମକ ରୋଗ । ଏହା ଏକ ପ୍ରକାର ଜୀବାଣୁଦ୍ୱାରା ହୋଇଥାଏ । ଏହା ପୃଥିବୀର ସବୁ ଭାଗରେ ଦେଖାଯାଏ । ଏକ ସମୟରେ ଏହି ରୋଗଦ୍ୱାରା ବହୁତ ପିଲା ଆକ୍ରାନ୍ତ ହୋଇଥାନ୍ତି ଏବଂ ମୃତ୍ୟୁ ମୁଖରେ ପଡ଼ନ୍ତି । ସାଧାରଣତଃ ଏକବର୍ଷ ବୟସରୁ ନଅବର୍ଷ ବୟସର ପିଲାମାନେ ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗ ବର୍ଷର ସବୁ ଋତୁରେ ଦେଖାଯାଏ । ଏହି ରୋଗର ଜୀବାଣୁ ଦୂଷିତ ବାୟୁମଣ୍ଡଳ, ରୋଗୀର ଛେପ, ଖଙ୍କାର, ଛିଙ୍କ ପ୍ରଭୃତି ମାଧ୍ୟମରେ ସୁସ୍ଥଲୋକର ଶ୍ୱାସପ୍ରଶ୍ୱାସରେ ପ୍ରବେଶ କରିଥାଏ । ଜୀବାଣୁ ପ୍ରବେଶ କରିବାର ଦୁଇ ଦିନରୁ ପାଞ୍ଚଦିନ ମଧ୍ୟରେ ସୁସ୍ଥଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗ ଫଳରେ ଗଳା ଭିତରୁ ଏକପ୍ରକାର ଖଟ୍ଟାଳିଆ ଦୁର୍ଗନ୍ଧ ବାହାରେ । ଶ୍ଵାସପଥ ମୋଟାଳିଆ ହୋଇଯିବାରୁ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହୁଏ । ବେଳେବେଳେ ଶ୍ଵାସପଥ ବନ୍ଦ ହୋଇ ରୋଗୀର ମୃତ୍ୟୁର କାରଣ ହୋଇଥାଏ ।

 

ଶିଶୁମାନଙ୍କୁ ଏହି ରୋଗରୁ ରକ୍ଷାକରିବା ପାଇଁ ଏକପ୍ରକାର ଇଞ୍ଜେକ୍‌ସନ ଦିଆଯାଏ । ଏହି ଇଞ୍ଜେକ୍‌ସନଦ୍ୱାରା ଲହରାକାଶ ତଥା ଧନୁଷ୍ଟଙ୍କାର ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଏହା ଡି.ପି.ଟି. ଇଞ୍ଜେକ୍‌ସନ ନାମରେ ପରିଚିତ । ସାଧାରଣତଃ ଶିଶୁ ଜନ୍ମହେବାର ୩ମାସ ପରେ ଏକମାସ ବ୍ୟବଧାନରେ ତିନୋଟି ମାତ୍ରାରେ ଏହି ଇଞ୍ଜେକ୍‌ସନ ଦିଆ ଯାଇଥାଏ । ଶିଶୁ ଜନ୍ମହେବାର ଏକ ବର୍ଷ ପରେ ଥରେ ଏବଂ ୫ ବର୍ଷ ବୟସରେ ଆଉଥରେ ଦିଆଯାଏ । ପିଲାର ଥଣ୍ଡା କାଶ ତଥା ଅନ୍ୟାନ୍ୟ କାରଣରୁ ଦେହ ଖରାପ ଥିଲାବେଳେ ଏହି ଇଞ୍ଜେକ୍‌ସନ ଦେବା ଉଚିତ ନହେଁ । ପିଲାଙ୍କୁ ଏହି ଇଞ୍ଜେକ୍‌ସନ ଦେବା ପରେ ସାମାନ୍ୟ ଜ୍ୱର ହେଲେ ମଧ୍ୟ ବିଶେଷ ଅସୁବିଧା ହୋଇ ନଥାଏ ।

 

ପ୍ରତିଷେଧକ ବ୍ୟବସ୍ଥା :

 

କୌଣସି ପରିବାରରେ ପିଲାଟିଏ ଡିପଥେରିଆ ରୋଗରେ ଆକ୍ରାନ୍ତ ହେବାର ଜଣାପଡ଼ିବା ମାତ୍ରେ ଉକ୍ତ ପିଲା ତଥା ପରିବାରର ଅନ୍ୟ ପିଲାମାନଙ୍କର ଗଳା ଓ ନାକ ଭିତରୁ ବାହାରୁଥିବା ରସକୁ ପରୀକ୍ଷା କରି ଏହି ରୋଗର ଜୀବାଣୁ ଅଛନ୍ତି କି ନାହିଁ ଜାଣିବା ଦରକାର । ଏହି ରୋଗରେ ଆକ୍ରାନ୍ତ ପିଲାକୁ ମୁକ୍ତବାୟୁ ତଥା ସୂର୍ଯ୍ୟାଲୋକ ପଡ଼ୁଥିବା ଘରେ ଅଲଗା ରଖିବା ଉଚିତ । ରୋଗୀ ରହୁଥିବା ଘରଟିକୁ ବିଶୋଧକ ପାଣିଦ୍ୱାରା ଧୋଇଦେଲେ ଡିପ୍‌ଥେରିଆ ଜୀବାଣୁ ନଷ୍ଟ ହୋଇଯାଏ । ଏହା ବ୍ୟତୀତ ରୋଗୀର ଅନ୍ୟାନ୍ୟ ବ୍ୟବହୃତ ଜିନିଷପତ୍ର ଓ ବିଛଣା ଆଦିକୁ ଗରମ ପାଣିରେ ସିଝାଇ ସଫା କରିବା ଦରକାର । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯଥାଶୀଘ୍ର ଚିକିତ୍ସାର ବନ୍ଦୋବସ୍ତ କରିବା ବିଧେୟ ।

Image

 

ଲହରାକାଶ ବା ହୁପିଙ୍ଗ୍‌ କାଶ

 

ଏହା ଏକ ମାରାତ୍ମକ ସଂକ୍ରାମକ ରୋଗ । ଏହା ମଧ୍ୟ ଏକ ପ୍ରକାର ଜୀବାଣୁଦ୍ୱାରା ହୋଇଥାଏ । ଏହି ରୋଗ ପ୍ରଥମେ ଫୁସ୍‌ଫୁସ୍‌କୁ ଆକ୍ରମଣ କରେ । ପରେ ପରେ ଏହା ଅଛିଣ୍ଡା କାଶରେ ପରିଣତ ହୁଏ । ଚୀନ୍‌ ଲୋକମାନେ ଏହାକୁ ‘ଶହେ ଦିନର କାଶ' ବୋଲି କହନ୍ତି । ସାଧାରଣତଃ କାଶ ଶେଷରେ ଶ୍ୱାସନଳୀ ମଧ୍ୟରୁ ଏକ ପ୍ରକାର ଶବ୍ଦ ବାହାରୁ ଥିବାର ଶୁଣାଯାଏ । ଏହି ଶବ୍ଦକୁ ‘ହୁପ୍‌’ କୁହାଯାଏ । ଏହିରୋଗ ପୃଥିବୀର ସବୁ ଦେଶରେ ପ୍ରାୟ ଦେଖା ଦେଇଥାଏ । ଏହି ରୋଗ ବସନ୍ତ ଋତୁରେ ବେଶୀ ପରିମାଣରେ ଦେଖାଯାଏ ।

 

ସାଧାରଣତଃ ପିଲାମାଙ୍କଠାରେ ଏହି ରୋଗ ଦେଖାଯାଏ । ୨ବର୍ଷରୁ ୧୦ବର୍ଷ ବୟସର ପିଲାଙ୍କୁ ଏହ ରୋଗ ଆକ୍ରମଣ କରୁଥିଲେ ମଧ୍ୟ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଖରେ ଏହା ବିଶେଷ ଭାବରେ ଦେଖାଯାଏ । ରୋଗୀର କାଶ, ଛେପ, ଖଙ୍କାର ଇତ୍ୟାଦି ମାଧ୍ୟମରେ ଏହି ରୋଗ ସୁସ୍ଥ ପିଲାଙ୍କୁ ଆକ୍ରମଣ କରିଥାଏ । ରୋଗୀ ବ୍ୟବହାର କରୁଥିବା ରୁମାଲ ଓ ତଉଲିଆ ଆଦି ଦ୍ୱାରା ମଧ୍ୟ ଏହା ସଂକ୍ରମିତ ହୋଇଥାଏ । ଅଧିକାଂଶ ପିଲା ତାଙ୍କର ସ୍କୁଲ ସାଙ୍ଗ ଓ ଖେଳ ସାଙ୍ଗ ସାଥିମାନଙ୍କଠାରୁ ଏହି ରୋଗର ଜୀବାଣୁ ଆଣିଥାନ୍ତି । ଏହି ରୋଗର ଜୀବାଣୁ ଦେହଭିତରକୁ ପ୍ରବେଶ କରିବାର ପ୍ରାୟ ଏକ ସପ୍ତାହରୁ ତିନି ସପ୍ତାହ ମଧ୍ୟରେ ରୋଗରର ଲକ୍ଷଣ ପ୍ରକାଶ ପାଇଥାଏ । ରୋଗର ପ୍ରଥମ ଅବସ୍ଥାରେ ଥଣ୍ଡା ଓ ଜ୍ୱର ହୁଏ । ଏହି ଅବସ୍ଥା ସାଧାରଣତଃ ଏକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ତାପରେ କାଶର ପରିମାଣ ବଢ଼ିଯାଏ । ଏହି କାଶ ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ପିଲା ନିଶ୍ୱାସ, ପ୍ରଶ୍ୱାସ ନେବାରେ ଖୁବ୍‌ କଷ୍ଟ ଅନୁଭବ କରେ । କାଶ ଶେଷରେ ଶ୍ୱାସନଳୀ ଭିତରୁ ଏକ ପ୍ରକାର ଶବ୍ଦ ବାହାରେ । ଏହି ଅବସ୍ଥାରେ ପିଲା ବହୁତ କ୍ଲାନ୍ତ ହୋଇପଡ଼େ । ମୁହଁ ନୀଳ ପଡ଼ିଯାଏ । ଆଖି ବଡ଼ ବଡ଼ ଦେଖାଯାଏ । ମୁହଁରେ ଝାଳ ବିନ୍ଦୁ ଦେଖାଯାଏ । ସମୟ ସମୟରେ ପିଲା କାଶି କାଶି ବାନ୍ତି କରିପକାଏ । ଖାଇବାପରେ କାଶ ହେଲେ ବାନ୍ତି ବିଶେଷ ଭାବରେ ଦେଖାଯାଏ । ଏହିପରି ଅବସ୍ଥା ପ୍ରାୟ ଦୁଇ, ତିନି ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ । ତାପରେ କାଶର ପରିମାଣ କମିଯାଏ । କିନ୍ତୁ ବେଳେ ବେଳେ କାଶ ଏପରି ଭୟଙ୍କର ହୁଏ ଯେ ପିଲାର ନାକ ଓ ପାଟିବାଟେ ରକ୍ତ ବାହାରେ । ଆଖିର ଧଳା ଡୋଳାଭିତରେ ରକ୍ତ ଜମାଟ ବାନ୍ଧି ରହିଥିବାର ଦେଖାଯାଏ । ଏହିପରି ଅବସ୍ଥାରେ କିଛି ଖାଇବାକୁ ଭଲ ଲାଗେ ନାହିଁ । ଫଳରେ ରୋଗୀ ଆସ୍ତେ ଆସ୍ତେ ଦୁର୍ବଳ ହୋଇଯାଏ । ଏହିରୋଗ ଥରେ ହେଲେ ଦ୍ୱିତୀୟ ଥର ହେବାର ସମ୍ଭାବନା ନଥାଏ ।

 

ବର୍ତ୍ତମାନ ଆମଦେଶରେ ଏହି ରୋଗରୁ ରକ୍ଷାପାଇବା ପାଇଁ ଏକପ୍ରକାର ଟିକା ବାହାରିଛି । ଏହି ଟିକାକୁ ଟ୍ରିପିଲ୍‌ ଏଣ୍ଟିଜେନ୍ କୁହାଯାଏ । ଏହି ଟିକା କଣ୍ଠ ଅଳତି ଟିକାପରି ଶିଶୁ ଜନ୍ମ ହେବାର ବିଭିନ୍ନ ସମୟରେ ଦିଆଯାଇ ରୋଗକୁ ନିୟନ୍ତ୍ରଣ କରାଯାଇଥାଏ ।

 

ପ୍ରତିଷେଧକ ବ୍ୟବସ୍ଥା :

 

ଆଲୋକ ପଡ଼ୁଥିବା ଏବଂ ପବନ ଯିବା ଆସିବାର ସୁବିଧା ଥିବା ଘରେ ରୋଗୀକୁ ଏକୁଟିଆ ରଖିବା ଉଚିତ । ସେହି ଘର ଭିତରକୁ ବେଶୀ ଲୋକ ଯିବା ଆସିବା କରିବା ଉଚିତ ନୁହେଁ । ରୋଗୀକୁ ଥଣ୍ଡ। ନ ଲାଗିବା ପାଇଁ ଗରମ ପୋଷାକ ପିନ୍ଧିବାକୁ ଦିଆଯିବା ଉଚିତ । ରୋଗୀର ଛେପ, ଖଙ୍କାର ଓ ସଂଘାଣି ଗୋଟିଏ ପାତ୍ରରେ ରଖି ପରେ ଏହାକୁ ନିଆଁରେ ପୋଡ଼ି ଦେବା ଉଚିତ । କାଶ କମିବା ପରିବର୍ତ୍ତେ କାଶ ବଢ଼ିବାକୁ ଲାଗିଲେ, ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

Image

 

ହାଡ଼ଫୁଟି ବା ପାଣି ବସନ୍ତ

 

ଏହା ଏକ ଡିଆଁ ରୋଗ । ଏକ ପ୍ରକାର ଅଣୁ ବୀଜାଣୁଦ୍ୱାରା ଏହି ରୋଗର ସୃଷ୍ଟି ହୋଇଥାଏ । ଏହା ଆମ ଦେଶରେ ଏକ ସାଧାରଣ ରୋଗ ଭାବରେ ଦେଖାଯାଏ ।

 

ହାଡ଼ଫୁଟି ସାଧାରଣତଃ ଦଶବର୍ଷରୁ କମ୍ ବୟସର ପିଲାଙ୍କୁ ଆକ୍ରମଣ କରିଥାଏ । କିନ୍ତୁ ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ । ଆମ ଦେଶରେ ବର୍ଷର ପ୍ରଥମ ଛଅମାସ ମଧ୍ୟରେ ଏହି ରୋଗର ପ୍ରାଦୁର୍ଭାବ ବିଶେଷ ଭାବରେ ଦେଖାଯାଏ । ସାଧାରଣତଃ ରୋଗୀ ସଙ୍ଗେ ମିଳାମିଶା ଏବଂ ତାର ଲୁଗାପଟା, ବାସନ କୁସନ, ବିଛଣାପତ୍ର ଆଦି ବ୍ୟବହାର କଲେ ଏହି ରୋଗ ସୁସ୍ଥ ଲୋକକୁ ଆକ୍ରମଣ କରିଥାଏ । ଏହାଛଡ଼ା ହାଡ଼ଫୁଟି ଘା’ର ଶୁଖିଲା ବକଳା ଓ କାତି ଗୁଣ୍ଡ ହୋଇ ପବନରେ ମିଶି ରହିଥାଏ । ସେହି ବୀଜାଣୁ ପୂର୍ଣ୍ଣ ଗୁଣ୍ଡ ଦେହରେ ଲାଗିଲେ କିମ୍ୱା ପ୍ରଶ୍ୱାସ ବାଟେ ଦେହଭିତରକୁ ପ୍ରବେଶ କଲେ ରୋଗ ଜନ୍ମାଏ । ସାଧାରଣତଃ ସୁସ୍ଥ ଲୋକର ଦେହ ଭିତରକୁ ବୀଜାଣୁ ପ୍ରବେଶ କରିବାର ସାତ ଦିନରୁ ଏକୋଇଶ ଦିନ ଭିତରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ ।

 

ହାଡ଼ଫୁଟି ବା ପାଣି ବସନ୍ତ ରୋଗୀ :

 

ଏହି ରୋଗ ଆରମ୍ଭ ହେଲେ ପ୍ରଥମେ ମୁଣ୍ଡ ବିନ୍ଧେ । ଗୋଡ଼ହାତ ଘୋଳା ବିନ୍ଧା କରେ । ସାମାନ୍ୟ ଜ୍ଵର ହୁଏ । ଖାଇବାକୁ ଇଚ୍ଛା ହୁଏ ନାହିଁ । ଏହିପରି ଅବସ୍ଥା ଦିନେ କିମ୍ବା ଦୁଇଦିନ ପର୍ଯ୍ୟନ୍ତ ଲାଗି ରହେ । ତୃତୀୟ ଦିନ ବେଳକୁ ଦେହର ସବୁଆଡ଼େ ମଶା କାମୁଡ଼ା ଦାଗ ପରି ଦାଗ ଦେଖାଯାଏ । ବିଶେଷ କରି ଏହା ସର୍ବପ୍ରଥମେ ଛାତି, ପିଠି, ପେଟ, ପ୍ରଭୃତି ଦେହର ମଧ୍ୟ ଭାଗରେ ଦେଖାଯାଏ । ପରେ ପରେ ଏହା ହାତ ଗୋଡ଼ ପ୍ରଭୃତିରେ ଦେଖାଯାଇଥାଏ । ଏହି ନାଲି ଦାଗଗୁଡ଼ିକ ବହୁତ ଶୀଘ୍ର ଫୋଟକାରେ ପରିଣତ ହୋଇ ଜଳ ଜଳ ଦେଖାଯାଏ । ଦୁଇତିନି ଦିନ ଭିତରେ ଏହି ଫୋଟକାଗୁଡ଼ିକ ଭିତରେ ପୁଜଭର୍ତ୍ତି ହୋଇଯାଏ ଏବଂ ତାହା ବହଳିଆ ଦେଖାଯାଏ। ଏହାର ଦିନେ କିମ୍ୱା ଦୁଇଦିନ ପରେ ଏହି ପୁଜ ଜମାଟ ବାନ୍ଧି ବକଳ ସୃଷ୍ଟି କରେ ଏବଂ ଚାରି କିମ୍ୱା ଛଅ ଦିନପରେ ବକଳାଗୁଡ଼ିକ ଶୁଖି ଝଡ଼ିବାକୁ ଆରମ୍ଭ କରେ । ବକଳା ଝଡ଼ିପଡ଼ିବା ଜାଗାରେ ସାମାନ୍ୟ ଦାଗ ଦେଖାଯାଏ । ଅନେକ ସମୟରେ ହାଡ଼ଫୁଟି ଏକ ସମୟରେ ଦେହର ସବୁଆଡ଼େ ନ ବାହାରି ଦୁଇ ଚାରିଦିନ ବ୍ୟବଧାନରେ ସାମାନ୍ୟ ପରିମାଣରେ ବାହାରିଥାଏ । ବାହାରିବା ଆଗରୁ ସାମାନ୍ୟ ଜ୍ୱର ହୁଏ । ଏହି ରୋଗରେ ଏକ ସମୟରେ ବହୁତ ଲୋକ ଆକ୍ରାନ୍ତ ହେଲେ ମଧ୍ୟ ମୃତ୍ୟୁରହାର ବହୁତ କମ୍ । ସମୟ ସମୟରେ ଏହି ରୋଗର ଭୂତାଣୁ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରି ନିମୋନିଆ ଭଳି ରୋଗ ଜନ୍ମାଇଥାଏ । ମା’ର ଗର୍ଭାବସ୍ଥାରେ ଯଦି ହାଡ଼ଫୁଟି ହୁଏ, ତେବେ ପିଲାର ଶାରୀରିକ ଗଠନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ ।

 

ପ୍ରତିଷେଧକ ବ୍ୟବସ୍ଥା :

 

ଆଲୁଅ ଓ ପବନ ଯିବା ଆସିବା କରୁଥିବା ପରିଷ୍କାର ଘରେ ରୋଗୀକୁ ଏକୁଟିଆ ରଖିବା ଉଚିତ । ରୋଗୀ ରହୁଥିବା ଘର ଭିତରକୁ ବେଶୀ ଲୋକ ଯିବା ଆସିବା କରିବା କିମ୍ବା ତା ସହିତ କଥାବାର୍ତ୍ତା କରିବା ଉଚିତ ନୁହେଁ । ରୋଗୀର ଆସବାବପତ୍ର ଅନ୍ୟ କେହି ବ୍ୟବହାର କରିବା ଅନୁଚିତ । ରୋଗୀକୁ ସଫା ନରମ ବିଛଣାରେ ଶୁଆଇବା ସଙ୍ଗେ ସଙ୍ଗେ ରୋଗୀର ଦେହ ତଥା ବିଛଣାରେ ଜୀବାଣୁ ନାଶକ ପାଉଡ଼ର ପକାଇବା ଭଲ । ସାଧାରଣତଃ କଞ୍ଚା ନିମ୍ବପତ୍ର ବିଛଣାରେ ପକାଇ ସେହି ବିଛଣା ଉପରେ ରୋଗୀକୁ ଶୁଆଇବା ଦରକାର । ରୋଗୀର ଦେହରେ ଥିବା ଘା’ ଉପରେ ଯେପରି ମାଛି ନ ବସନ୍ତି ସେଥିପାଇଁ ରୋଗୀକୁ ମଶାରୀ ଭିତରେ ଶୁଆଇବା ଉଚିତ । ରୋଗୀର ଛେପ, ଖଙ୍କାର ତଥା ଶୁଖିଲା ଘା’ରୁ ଛାଡ଼ୁଥିବା ବକଳାଗୁଡ଼ିକୁ ଏଣେତେଣେ ନ ପକାଇ ବିଶୋଧକ ପୂର୍ଣ୍ଣ ପାତ୍ରରେ ରଖି ପୋଡ଼ିଦେବା ଉଚିତ । ରୋଗୀର ଦେହରୁ ସବୁ ବକଳା ଓ କାତି ନ ଛାଡ଼ିଲା ପର୍ଯ୍ୟନ୍ତ ତାହାକୁ ବାହାରକୁ ବୁଲିବାକୁ ଦିଆଯିବା ଉଚିତ ନୁହେଁ । ଦେହରେ ଥିବା ଦାଗଗୁଡ଼ିକ ସହଜରେ ଲିଭିଯିବା ପାଇଁ ଆମ ଦେଶରେ ଅନେକେ ପଇଡ଼ପାଣି ବ୍ୟବହାର କରିଥାନ୍ତି ଏବଂ ଏଥିରେ ମଧ୍ୟ ସୁଫଳ ମିଳିଥାଏ । ଏହି ରୋଗର ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନ ଥିଲେ ମଧ୍ୟ ତରଳ ଝାଡ଼ା କିମ୍ୱା କାଶକଫ ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହିଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରିବା ଉଚିତ ।

Image

 

ମିଳିମିଳା

 

ମିଳିମିଳା ହେଉଛି ପିଲାଙ୍କ ରୋଗ । ଏକ ପ୍ରକାର ଅତି ସୂକ୍ଷ୍ମ ଭୂତାଣୁ ଏ ରୋଗର କାରଣ । ଏହି ରୋଗ ସାଧାରଣତଃ ପୃଥିବୀର ସବୁ ଦେଶରେ ଦେଖାଯାଏ । ଭାରତବର୍ଷରେ ଶୀତ ଓ ବସନ୍ତ ଋତୁରେ ଏହି ରୋଗ ବିଶେଷ ଭାବରେ ଦେଖାଯାଇଥାଏ । ଏହି ରୋଗ ସ୍ଥାନୀୟ ସଂକ୍ରାମକ ରୋଗ ହିସାବରେ ଦେଖାଯାଉଥିଲେ ମଧ୍ୟ ପ୍ରତ୍ୟେକ ଦୁଇ ତିନି ବର୍ଷ ବ୍ୟବଧାନରେ ବ୍ୟାପକ ସଂକ୍ରାମକ ରୋଗ ଧାରଣ କରିଥାଏ । ସାଧାରଣତଃ ତିନିବର୍ଷରୁ ପାଞ୍ଚବର୍ଷ ବୟସର ପିଲାମାନେ ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ଜନ୍ମ ହେବାର ପ୍ରଥମ ଛଅମାସ ମଧ୍ୟରେ ଏହି ରୋଗ ଶିଶୁମାନଙ୍କୁ ଆକ୍ରମଣ କରିପାରେନାହିଁ । ତଥାପି ଯେ କୌଣସି ବୟସର ଲୋକଙ୍କୁ ଏହି ରୋଗ ଆକ୍ରମଣ କରିଥାଏ । ଏହି ରୋଗର ବୀଜାଣୁ ସାଧାରଣତଃ ରୋଗୀର କାଶ କିମ୍ୱା ଛିଙ୍କବେଳେ ଶ୍ଵାସପଥ ଦେଇ ନିଶ୍ୱାସରେ ବାହାରକୁ ଆସି ବାୟୁମଣ୍ଡଳରେ ମିଶି ରହିଥାଏ । ରୋଗୀର ବ୍ୟବହାର କରୁଥିବା ରୁମାଲ ଓ ତଉଲିଆରେ ଲାଗିଥିବା ଛେପ ଓ ସିଂଘାଣୀ ମାଧ୍ୟମରେ ସୁସ୍ଥ ଲୋକ ମଧ୍ୟ ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗର ମୃତ୍ୟୁ-ହାର ସଂଖ୍ୟା ବହୁତ କମ୍ ହେଲେ ମଧ୍ୟ ଦୁର୍ବଳ ପିଲାମାନଙ୍କ ମୃତ୍ୟୁ ଅଧିକ ଦେଖାଯାଏ । ଏହି ରୋଗର ବୀଜାଣୁ ଦେହ ଭିତରକୁ ପ୍ରବେଶ କରିବାର ଦଶଦିନ ମଧ୍ୟରେ ରୋଗର ଲକ୍ଷଣ ସୁସ୍ଥଲୋକ ଦେହରେ ଦେଖାଯାଏ ।

 

ପ୍ରଥମାବସ୍ଥାରେ ଏହି ରୋଗ ଏତେ ନିଷ୍କ୍ରିୟ ଅବସ୍ଥାରେ ଦେଖାଯାଏ ଯେ ତାହାକୁ ଚିହ୍ନିବା କଷ୍ଟ ହୁଏ । ଏହି ରୋଗକୁ ସାଧାରଣତଃ ଦୁଇଭାଗରେ ଭାଗ କରାଯାଇଥାଏ । ଦେହରେ ଦାଗ ଯିବାର ପୂର୍ବ ଅବସ୍ଥା ଏବଂ ଦାଗ ଦେଖାଯିବା ଅବସ୍ଥା ।

 

ପ୍ରଥମ ଅବସ୍ଥାଟି ସାଧାରଣତଃ ତିନି ଚାରିଦିନ ପର୍ଯ୍ୟନ୍ତ ଥାଏ । ରୋଗୀକୁ ଜ୍ୱର ହୁଏ । ଛିଙ୍କ ଏବଂ କାଶ ହେବା ସଙ୍ଗେ ସଙ୍ଗେ ପାଣିପରି ସଂଘାଣି ବାହାରେ । ଆଖି ନାଲି ଦେଖାଯାଏ । ଏହାପରେ ପାଟି ଭିତରେ ନୀଳ ମିଶ୍ରିତ ଛୋଟ ଛୋଟ ଧଳା ଦାଗଗୁଡ଼ିକ ଦେଖାଯାଏ । ରୋଗର ଦ୍ୱିତୀୟା ଅବସ୍ଥାରେ ପ୍ରଥମେ ମୁହଁ ଓ ବେକରେ ନାଲି କିମ୍ୱା ଧୂସର ରଙ୍ଗର ଦାଗଗୁଡ଼ିକ ଦେଖାଯାଏ-। ୨/୪ ଦିନ ମଧ୍ୟରେ ଏହା ଦେହର ଅନ୍ୟାନ୍ୟ ଅଂଶ ଯଥା ଗୋଡ଼ ହାତରେ ଦେଖାଯାଏ । ଦେହ ବହୁତ କୁଣ୍ଡାଇ ହୁଏ । ଆଖି ପୋଡ଼ିବା ସଙ୍ଗେ ସଙ୍ଗେ ସେଥିରୁ ପାଣି ବାହାରେ-। ପ୍ରାୟ ୫।୬ଦିନ ପରେ ଏହି ଦାଗଗୁଡ଼ିକ ଲିଭିବାକୁ ଆରମ୍ଭ କରେ । ଏହା ମାଟିଆ ରଙ୍ଗ ପରି ଦେଖାଯାଏ ଏବଂ ସପ୍ତାହେ ପର୍ଯ୍ୟନ୍ତ ରହିଥାଏ । ଏହ ରୋଗ ଭଲ ହେବାପରେ ପରେ ସାଧାରଣତଃ ନିମୋନିଆ କାନ ପାଚିବା, ଆଖି ଧରିବା, ସ୍ମରଣ ଶକ୍ତି ଲୋପ ପାଇବା ଇତ୍ୟାଦି ବିଭିନ୍ନ ପ୍ରକାରର ଲକ୍ଷଣ ପିଲାପାଖରେ ଦେଖାଯାଏ । ଏଥି ପ୍ରତି ପ୍ରଥମରୁ ସଚେତନ ନ ରହିଲେ ପିଲା ମୃତ୍ୟୁମୁଖରେ ପଡ଼ିବାର ସମ୍ଭାବନା ରହିଥାଏ ।

 

ଏହି ରୋଗରୁ ରକ୍ଷାପାଇବା ପାଇଁ ଆମ ଦେଶରେ ଜୀବନ୍ତ ଭୂତାଣୁ ଦ୍ୱାରା ନିର୍ମିତ ଏକ ପ୍ରକାର ଟିକାର ପ୍ରଚଳନ ହେଉଛି । ଏହି ଇଞ୍ଜେକ୍‌ସନ୍‌, ଶିଶୁ ଜନ୍ମ ହେବାର ଏକ ବର୍ଷ ବୟସରେ ମାଂସପେଶୀ ମଧ୍ୟରେ ଥରେ ଦିଆଯାଇଥାଏ । ଏହାର ରୋଗ ଓ ପ୍ରତିଷୋଧକ ଶକ୍ତି ପ୍ରାୟ ଦଶ ପନ୍ଦର ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହି ଟିକା ନେବା ପରେ ପରେ ସାଧାରଣତଃ ପିଲାଙ୍କୁ ଜ୍ୱର ହୋଇଥାଏ । ଦେହ ସାରା ନାଲି ଦାଗ ଦେଖାଯାଏ । ମାତ୍ର ଏହା ୨/୪ ଦିନ ମଧ୍ୟରେ ଭଲ ହୋଇଯାଏ । ଏହିଁ ଟିକା ଦୁର୍ବଳ ତଥା ଯକ୍ଷ୍ମା, ପିହୁଳା, ଏକ୍‌ଜିମା ଇତ୍ୟାଦି ରୋଗ ଥିବା ପିଲାଙ୍କୁ ଦିଆଯିବା ଉଚିତ ନୁହେଁ ।

 

ପ୍ରତିଷେଧକ ବ୍ୟବସ୍ଥା :

 

ରୋଗୀକୁ ମୁକ୍ତ ବାୟୁ ଯିବା ଆସିବା କରୁଥିବା ଓ ସୂର୍ଯ୍ୟକିରଣ ପଡ଼ୁଥିବା ଘରେ ରହିବା ଦରକାର । ବିଛଣା ଓ ଦେହରେ ଜୀବାଣୁ ନାଶକ ପାଉଡ଼ର ପକାଇବା ଉଚିତ । ଦେହ କୁଣ୍ଡାଇ ହେଲେ ନଖରେ ନ କୁଣ୍ଡାଇ ନିମ୍ବପତ୍ର କିମ୍ବା ନରମ ଲୁଗା ବ୍ୟବହାର କରିବା ଉଚିତ । ରୋଗୀର ବାସନ କୁସନ ଅଲଗା ରଖିବା ସଙ୍ଗେ ସଙ୍ଗେ ବିଛଣାପତ୍ର ଓ ଲୁଗାପଟା ପ୍ରତ୍ୟେକ ଦିନ ଧୋଇ ଟାଣ ଖରାରେ ଶୁଖାଇବା ଆବଶ୍ୟକ । ରୋଗୀ ବ୍ୟବହାର କରୁଥିବା ରୁମାଲ ଓ ତଉଲିଆକୁ ଯେପରି ଅନ୍ୟ କେହି ବ୍ୟବହାର ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବା ଉଚିତ । ରୋଗୀକୁ ଯେପରି ଥଣ୍ଡା ନ ଲାଗେ ସେଥିପାଇଁ ଗରମ ପୋଷାକ ବ୍ୟବହାର କରିବା ଉଚିତ । ରୋଗୀକୁ ଗରମ ଓ ପୁଷ୍ଟିକର ଖାଦ୍ୟ ଦିଆଯିବା ଉଚିତ ।

Image

 

ଗାଲୁଆ

 

ଏହା ଗୋଟିଏ ଭୟାବହ ସଂକ୍ରାମକ ରୋଗ । ଏକ ପ୍ରକାର ସୂକ୍ଷ୍ମ ଭୂତାଣୁ ଦେହରେ ଥିବା ଲାସବାହୀ ଗ୍ରନ୍ଥି ତଥା ସ୍ନାୟୁଗୁଡ଼ିକୁ ଆକ୍ରମଣ କରି ଏହି ରୋଗ ସୃଷ୍ଟି କରିଥାଏ । ଏହା ସାଧାରତଃ ସ୍ଥାନୀୟ ସଂକ୍ରାମକ ରୋଗ ହିସାବରେ ଦେଖାଯାଏ । ମାତ୍ର ଗୋଟିଏ ସ୍ଥାନରେ ବହୁତ ଲୋକ ଏକାଠି ରହୁଥିଲେ ଏହା ବ୍ୟାପକ ସଂକ୍ରାମକ ଆକାର ଧାରଣ କରେ । ଏହି ରୋଗ ବର୍ଷର ପ୍ରାୟ ସବୁ ସମୟରେ ଦେଖା ଯାଉଥିଲେ ମଧ୍ୟ ଶୀତ ଓ ବସନ୍ତଋତୁରେ ଏହା ଅଧିକ ମାତ୍ରାରେ ଦେଖାଯାଏ ।

 

ସାଧାରଣତଃ ପାଞ୍ଚ ବର୍ଷରୁ ପନ୍ଦର ବର୍ଷ ବୟସର ପିଲାଙ୍କୁ ଏହି ରୋଗ ଆକ୍ରମଣ କରିଥାଏ । ଏକ ବର୍ଷରୁ କମ୍ ବୟସର ଶିଶୁ ତଥା ଚାଳିଶ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କଠାରେ ଏହି ରୋଗ ପ୍ରାୟ ଦେଖାଯାଏ ନାହିଁ । ତଥାପି ଏହି ରୋଗର ନିର୍ଦ୍ଦିଷ୍ଟ ବୟସ ସୀମା ନାହିଁ । ଏହି ରୋଗର ଜୀବାଣୁ ସାଧାରତଃ ରୋଗୀର କାଶ, ଛିଙ୍କ ଓ ସିଂଘାଣୀ ମାଧ୍ୟମରେ ବାୟୁମଣ୍ଡଳକୁ ଆସି ସୁସ୍ଥଲୋକର ଶ୍ୱାସପଥର ଉପରି ଭାଗକୁ ଆକ୍ରମଣ କରିଥାଏ । ଏହା ବ୍ୟତୀତ ରୋଗୀଦ୍ୱାରା ବ୍ୟବହୃତ ହେଉଥିବା ବାସନ କୁସନ ତଥା ରୁମାଲ ଓ ତଉଲିଆ ମଧ୍ୟ ଏହି ରୋଗ ପ୍ରସାରରେ ବିଶେଷ ସାହାଯ୍ୟ କରିଥାଏ । ଦେହ ଭିତରକୁ ଜୀବାଣୁ ପ୍ରବେଶ କରିବାର ଦୁଇ ତିନି ସପ୍ତାହ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ । ଏହି ରୋଗ ଥରେ ହେଲେ ଦ୍ୱିତୀୟ ଥର ପାଇଁ ପ୍ରାୟ ହୁଏ ନାହିଁ । ମାତ୍ର କେତେକ କ୍ଷେତ୍ରରେ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଫଳରେ ପୁନରାୟ ସେହି ଲୋକକୁ ଏହି ରୋଗ ଆକ୍ରମଣ କରିଥାଏ।

କାନମୂଳର ତଳଭାଗ ତଥା ତଳ ଦାନ୍ତ ମାଢ଼ିର ଉପରି ଭାଗରେ ଥିବା ଖାଦ୍ୟରସ ନିସୃତ ଗ୍ରନ୍ଥି ଫୁଲି ଦରଜ ହେବ ଏହି ରୋଗର ପ୍ରଥମ କାରଣ । ଏକାବେଳକେ ଦୁଇ ପାଖରେ ଥିବା ଦୁଇଟି ଗ୍ରନ୍ଥି ମଧ୍ୟ ଫୁଲିଯାଏ । ଗ୍ରନ୍ଥିଗୁଡ଼ିକ ଫୁଲି ଦରଜ ହେବା ସଙ୍ଗେ ସଙ୍ଗେ ସାମାନ୍ୟ ଜ୍ୱର ହୁଏ । ମୁଣ୍ଡ ବିନ୍ଧେ ଓ ଦେହ ହାତ ଘୋଳାବିନ୍ଧା କରେ । ରୋଗୀ ପାଟି ଖୋଲିବା ତଥା ଖାଦ୍ୟ ପଦାର୍ଥ ଚୋବାଇ ଖାଇବାରେ ବିଶେଷ କଷ୍ଟ ଅନୁଭବ କରେ । ଭଲ ଭାବରେ ପାଟି ଭିତର ସଫା କରିପାରୁ ନ ଥିବାରୁ ମୁହଁରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରେ । ରୋଗୀ କେବଳ ତରଳ ଖାଦ୍ୟ ଖାଇବାକୁ ଇଚ୍ଛା କରେ । ଏହିପରି ଅବସ୍ଥା ୩ଦିନରୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହେ । ସାଧାରଣତଃ ସ୍ନାୟୁ, ହୃତ୍‍ପିଣ୍ଡ, ଆଖି, କାନ, ଶୁକ୍ରକୀଟ ପ୍ରସ୍ତୁତ କରୁଥିବା ଗ୍ରନ୍ଥି ଏହି ରୋଗଦ୍ୱାରା ବିଶେଷ ଭାବରେ ଆକ୍ରାନ୍ତ ହୋଇଥାନ୍ତି । ଲାସବାହୀ ଗ୍ରନ୍ଥିଗୁଡ଼ିକ ଫୁଲି ଦରଜ ହେବା ସଙ୍ଗେ ସଙ୍ଗେ ଗଣ୍ଠି ମଧ୍ୟ ଫୁଲିଯାଏ । ଏକ ସପ୍ତାହରୁ ଦୁଇ ସପ୍ତାହ ମଧ୍ୟରେ ଗ୍ରନ୍ଥିଗୁଡ଼ିକରୁ ଫୁଲା ଓ ଦରଜ କମିଯାଏ । ରୋଗୀ ଆସ୍ତେ ଆସ୍ତେ ପାଟି ମେଲା କରି ଖାଦ୍ୟ ପଦାର୍ଥକୁ ଚୋବାଇବାରେ ସମର୍ଥ ହୋଇଥାଏ । ଏହି ରୋଗରେ ମୃତ୍ୟୁ ସଂଖ୍ୟା ନାହି କହିଲେ ଚଳେ । ମାତ୍ର ଯୁବକ ତଥା ବୟସ୍କ ଲୋକମାନଙ୍କୁ ଏହି ରୋଗଦ୍ୱାରା ଆକ୍ରାନ୍ତ ହେବା ସମୟରେ ଶୁକ୍ରକୀଟ ପ୍ରସ୍ତୁତ କରୁଥିବା ଗ୍ରନ୍ଥି ବିଶେଷ ଭାବରେ କ୍ଷତିଗ୍ରସ୍ଥ ହୁଏ, ଏବଂ ସମୟ ସମୟରେ ସେମାନଙ୍କର ପିଲା ଜନ୍ମ କରାଇବାର କ୍ଷମତା ଲୋପ ପାଇଥାଏ ।

 

ବର୍ତ୍ତମାନ ଆମେରିକା ଓ ରୁଷିଆରେ ଏହି ରୋଗରୁ ରକ୍ଷାପାଇବା ପାଇଁ ଜୀବନ୍ତ ଜୀବାଣୁଦ୍ୱାର ପ୍ରସ୍ତୁତ ଟିକା ବିଶେଷ ଭାବରେ ପ୍ରୟୋଗ ହେଉଅଛି । ମାତ୍ର ଆମ ଦେଶରେ ଏହାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇ ପାରିନାହିଁ । ସାଧାରଣତଃ ଏହି ଟିକା ଏକ ବର୍ଷ ବୟସରୁ ଅଧିକ ହୋଇଥିବା ଶିଶୁର ମାଂସପେଶୀ ମଧ୍ୟରେ ଗୋଟିଏ ଥର ଇଞ୍ଜେକ୍‌ସନ୍ ଆକାରରେ ଦିଆଯାଏ । ଏହି ଟିକାର ଜୀବାଣୁ ପ୍ରତିରୋଧକ ଶକ୍ତି ପ୍ରାୟ ପାଞ୍ଚବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହି ଟିକା ମଧ୍ୟ ହାଡ଼ପୁଟି ଓ ମିଳିମିଳା ରୋଗର ଜୀବାଣୁ ସହିତ ମିଶାଇ ଏକାବେଳକେ ତିନୋଟି ରୋଗରୁ ରକ୍ଷା ପାଇବା ପାଇଁ ଡି.ପି.ଟି. ଇଞ୍ଜେକ୍‍ସନ ପରି ଏକାଥରକେ ଦିଆ ଯାଇପାରେ ।

 

ପ୍ରତିଷେଧକ ବ୍ୟବସ୍ଥା :

 

ଅନ୍ୟାନ୍ୟ ସଂକ୍ରାମକ ରୋଗ ପରି ଏହି ରୋଗଦ୍ୱାରା ଆକ୍ରାନ୍ତ ରୋଗୀକୁ ଖୋଲା ବାୟୁ ପ୍ରବେଶ କରୁଥିବା ତଥା ସୂର୍ଯ୍ୟାଲୋକ ପଡ଼ୁଥିବା ଘରେ ଏକୁଟିଆ ରଖିବା ଉଚିତ । ରୋଗୀ ବ୍ୟବହାର କରୁଥିବା ବାସନ କୁସନ, ଲୁଗାପଟା ପ୍ରଭୃତି ଯେପରି ସୁସ୍ଥଲୋକ ବ୍ୟବହାର ନ କରନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବା ଦରକାର । ରୋଗ ଆକ୍ରାନ୍ତ ଅବସ୍ଥାରେ ପିଲାକୁ ବାହାରକୁ ଛାଡ଼ିବା ଉଚିତ ନୁହେଁ । କାରଣ ଏହାଦ୍ୱାର ସାଙ୍ଗସାଥୀମାନେ ସହଜରେ ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ଦେହରେ ସର୍ବଦା ଗରମ ପୋଷାକ ବ୍ୟବହାର କରିବା ସଙ୍ଗେ ସଙ୍ଗେ ବିଶେଷ କରି ବେକ ଓ କାନର ଚାରିପଟେ ଗରମ ଲୁଗା ବାନ୍ଧି ରଖିବା ଉଚିତ । ଉଷୁମପାଣିରେ ଜୀବାଣୁ ନାଶକ ଔଷଧ ପକାଇ ରୋଗୀର ପାଟିକୁ ଭଲ ଭାବରେ ଅନ୍ତତଃ ଦୁଇ ଚାରିଥର ଧୋଇବା ଆବଶ୍ୟକ । ଏହାଦ୍ୱାରା ପାଟିରୁ ଦୁର୍ଗନ୍ଧ ବାହାରିବା କମିଯାଏ ଏବଂ ରୋଗର ଜୀବାଣୁ ସହଜରେ ନଷ୍ଟ ହୋଇଯାଏ । ରୋଗୀକୁ ଖାଲି ପେଟରେ ନ ରଖିବା ପାଇଁ କ୍ଷୀର, ବାଲି, ସାଗୁ ଇତ୍ୟାଦି ତରଳ ପଦାର୍ଥ ଖାଇବାକୁ ଦେବା ଉଚିତ । ଖାଦ୍ୟରସ ନିସୃତ ହେଉଥିବା ଗ୍ରନ୍ଥିର ଉପରି ଭାଗକୁ ବେଲାଡନା ପଟି ଦ୍ୱାରା ଆବୃତ କରିବା ସଙ୍ଗେ ସଙ୍ଗେ ଗରମ ସେକ ଦେଲେ ସୁଫଳ ମିଳିଥାଏ । ଗ୍ରାମାଞ୍ଚଳରେ ମହୁ ସହିତ କାଇଁଚ ଗଛର ପତ୍ର ମିଶାଇ ଫୁଲିଥିବା ଜାଗାରେ ମଧ୍ୟ ଦିଆଯାଏ । ରୋଗୀ ବ୍ୟବହାର କରୁଥିବା ଲୁଗାପଟା, ବିଛଣାପତ୍ର ଗରମ ପାଣିରେ ସିଝାଇ ସଫା କରି ଖରାରେ ଶୁଖାଇବା ଦରକାର । ଫିନାଇଲ ମିଶା ପାଣିରେ ଘରର କାନ୍ଥ ଓ ଚଟାଣକୁ ସଫା କରିବା ଆବଶ୍ୟକ । ଏହି ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନ ଥିଲେ ମଧ୍ୟ ଏହି ରୋଗଦ୍ୱାରା ଘଟୁଥିବା ଅନ୍ୟାନ୍ୟ ଅସୁବିଧା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଜୀବାଣୁ ନାଶକ ବଟିକା ପାଞ୍ଚ ଦିନରୁ ସାତଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଇବାକୁ ଦେବା ଆବଶ୍ୟକ ।

Image

 

ଯକ୍ଷ୍ମା

 

ଯକ୍ଷ୍ମା ଏକ ଜୀବାଣୁ ଜାତ ସଂକ୍ରାମକ ରୋଗ । ଏହି ରୋଗ ଗୃହପାଳିତ ପଶୁ ତଥା ମନୁଷ୍ୟକୁ ଆକ୍ରମଣ କରିଥାଏ । ପୃଥିବୀର ପ୍ରାୟ ସବୁ ଦେଶରେ ଏହି ରୋଗ ଦେଖାଯାଏ । ଏହି ରୋଗରେ ମୃତ୍ୟୁହାର ବହୁତ ପରିମାଣରେ ହ୍ରାସ ପାଇଥିଲେ ମଧ୍ୟ ଏହା ଏକ ମାରାତ୍ମକ ରୋଗ । ପିଲାମାନଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସବୁ ବୟସର ସ୍ତ୍ରୀ ଓ ପୁରୁଷଙ୍କୁ ଏହି ରୋଗ ଆକ୍ରମଣ କରିଥାଏ । ବର୍ତ୍ତମାନ ପୃଥିବୀରେ ଅସଂଖ୍ୟ ନରନାରୀ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ରୋଗୀର ଛେପ ଓ ଖଙ୍କାରରେ ଜୀବାଣୁ ବାହାରକୁ ଆସି ପବନରେ ମିଶି ରହିଥାଏ । ଏହି ଦୂଷିତ ପବନ ସୁସ୍ଥଲୋକର ପ୍ରଶ୍ୱାସ ବାୟୁରେ ଯାଇ ରୋଗ ଜନ୍ମାଇଥାଏ । ରୋଗୀ ସଙ୍ଗେ ଖାଇଲେ କିମ୍ବା ରୋଗୀର ବାସନ କୁସନ ଓ ଲୁଗାପଟା ବ୍ୟବହାର କଲେ ମଧ୍ୟ ଏହି ରୋଗ ଡେଇଁଥାଏ । ଗୋରୁଗାଈ ଦେହରେ ଯେତେବେଳେ ଏହି ରୋଗ ଦେଖାଯାଏ, ସେତେବେଳେ ଗାଈର କ୍ଷୀରରେ ମଧ୍ୟ ଜୀବାଣୁ ଥାଏ । ସେହି କ୍ଷୀର କଞ୍ଚା କିମ୍ୱା ଭଲ ଭାବରେ ନ ଫୁଟାଇ ଖାଇଲେ ଏହି ରୋଗ ହୋଇଥାଏ ।

 

ଯକ୍ଷ୍ମା ରୋଗୀ :

 

ଏହି ଜୀବାଣୁ ମନୁଷ୍ୟର ଯେ କୌଣସି ଅଙ୍ଗରେ ରୋଗ ଜନ୍ମାଇପାରେ । ସାଧାରଣତଃ ଏହା ଫୁସ୍‌ଫୁସ୍‌କୁ ଆକ୍ରମଣ କରେ ଏବଂ ଡାହାଣ ପଟ ଫୁସ୍‌ଫୁସ୍‌ର ଉପରି ଭାଗ ବିଶେଷ ଭାବରେ ଆକ୍ରାନ୍ତ ହୋଇଥାଏ । ଫୁସ୍‌ଫୁସ୍‌ ବ୍ୟତୀତ ଶରୀରର ମେରୁଦଣ୍ଡ ହାଡ଼, ପେଟ ଭିତରର ଅନ୍ତନଳୀ, ମସ୍ତିଷ୍କ ଓ ବେକ ପାଖରେ ଥିବା ଗ୍ରନ୍ଥିଗୁଡ଼ିକ ଏହି ଜୀବାଣୁଦ୍ଵାରା ଆକ୍ରାନ୍ତ ହୋଇ ବିଭିନ୍ନ ପ୍ରକାରର ଲକ୍ଷଣ ପ୍ରକାଶ କରିଥାନ୍ତି । ପ୍ରଥମାବସ୍ଥାରେ ରୋଗୀକୁ ପ୍ରତିଦିନ ସନ୍ଧ୍ୟାବେଳେ ଜ୍ୱର ହୋଇଥାଏ । କ୍ରମେ କ୍ରମେ ରୋଗୀକୁ ଦୁର୍ବଳ ଲାଗେ ଏବଂ ଓଜନ ହ୍ରାସ ପାଏ । ରୋଗୀକୁ ଖୁଁ ଖୁଁ କାଶ ହୁଏ । ସକାଳେ କାଶ ବେଶୀ ହୁଏ ଏବଂ କିଛିଦିନ ପରେ କାଶ ସଙ୍ଗେ କଫ ଓ ରକ୍ତ ମଧ୍ୟ ପଡ଼େ । ଏହି ରୋଗ ଯଦି ଗ୍ରନ୍ଥିରେ ହୁଏ, ତେବେ ବେକରେ ଥିବା ଗ୍ରନ୍ଥିଗୁଡ଼ିକ ଫୁଲି ବଡ଼ ବଡ଼ ଦେଖାଯାଏ ଏବଂ କିଛିଦିନ ପରେ ଏହା ଫାଟି ସେଥିରୁ ପୁଜ ବାହାରେ । ଏହି ଜୀବାଣୁ ଯଦି ଅନ୍ତନଳୀକୁ ଆକ୍ରମଣ କରେ, ତେବେ ରୋଗୀର ଝାଡ଼ା ହୁଏ ଏବଂ କ୍ରମେ କ୍ରମେ ଅନ୍ତନଳୀ ରାସ୍ତା ବନ୍ଦ ହୋଇ ପେଟ ଫୁଲିଯାଏ ଓ ବାନ୍ତି ହୁଏ । ରୋଗୀ ପାଟି ବାଟେ କିଛି ଖାଇପାରେ ନାହିଁ । ଏହି ରୋଗ ଯେତେବେଳେ ହାଡ଼ରେ ଦେଖାଯାଏ ହାଡ଼ ଫୁଲିଯାଏ, ଦରଜ ହୁଏ ଏବଂ ଚଳ ପ୍ରଚଳରେ ଅସୁବିଧା ସୃଷ୍ଟି କରେ।

 

ଯକ୍ଷ୍ମା ରୋଗର ଆକ୍ରମଣରୁ ରକ୍ଷା ପାଇବା ପାଇଁ ବି. ସି. ଜି. ଟିକା ଦିଆ ଯାଇଥାଏ । ପିଲା ଜନ୍ମ ହେବାର ବର୍ଷକ ମଧ୍ୟରେ ଏହି ଟିକା ଦିଆ ଯାଇଥାଏ । ବର୍ତ୍ତମାନ ୨୦ ବର୍ଷ ବୟସର ଲୋକମାନଙ୍କୁ ମଧ୍ୟ ଏହି ଟିକା ଦିଆଯାଇ ଦେହର ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଉଅଛି ।

 

ଉପଯୁକ୍ତ ଚିକତ୍ସା ଦ୍ୱାରା ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଆରୋଗ୍ୟ ଲାଭ କରିଥାଏ । ପ୍ରଥମରେ ଏହି ରୋଗ ପାଇଁ କୌଣସି ଫଳପ୍ରଦ ଔଷଧ ନଥିଲା । ତେଣୁ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁବରଣ କରୁଥିଲା । ମାତ୍ର ଆଜିକାଲି ଏହି ରୋଗର ଚିକତ୍ସା ପାଇଁ ବିଭିନ୍ନ ପ୍ରକାରର ଉପଯୁକ୍ତ ଔଷଧ ମିଳୁଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏକ ବଷରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏହି ଔଷଧଗୁଡ଼ିକ ନିୟମିତ ଭାବରେ ସେବନ କଲେ, ଏ ରୋଗରୁ ରକ୍ଷା ମିଳିଥାଏ । ଆଜିକାଲି ଆମ ଦେଶରେ ଏହି ରୋଗ ପାଇଁ ସ୍ୱତନ୍ତ୍ର ଡାକ୍ତରଖାନାର ବନ୍ଦୋବସ୍ତ କରାଯିବା ସଙ୍ଗେ ସଙ୍ଗେ ବିନା ପଇସାରେ ସମସ୍ତ ପ୍ରକାରର ଔଷଧ ତଥା ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ।

 

ପ୍ରତିଷେଧକ ବ୍ୟବସ୍ଥା :

 

ଉନ୍ମୁକ୍ତ ବିଶୁଦ୍ଧ ବାୟୁ, ପ୍ରତ୍ୟହ ସୂର୍ଯ୍ୟକିରଣ ଓ ସୁଷମ ଖାଦ୍ୟ ଏ ରୋଗର ଉପଯୁକ୍ତ ପ୍ରତିଷେଧକ ପନ୍ଥା । ରୋଗୀକୁ ଗୋଟିଏ ଅଲଗା ଘରେ ରଖିବା ସଙ୍ଗେ ସଙ୍ଗେ ତା ସହିତ ଶୁଆବସା କିମ୍ୱା ଖିଆପିଆ କରିବା ଉଚିତ ନୁହେଁ । ରୋଗୀ କାଶିଲା, ଛିଙ୍କିଲା ବା କଥା କହିଲାବେଳେ ମୁହଁକୁ ରୁମାଲ ବା ସଫାଲୁଗା ଦ୍ୱାରା ଘୋଡ଼ାଇ ରଖିବା ଉଚିତ । ସାଧାରଣ ଖାଦ୍ୟ ସହିତ କିଛି ପରିମାଣର କ୍ଷୀର, ଅଣ୍ଡା ଓ ଫଳ ଇତ୍ୟାଦି ରୋଗୀକୁ ଖାଇବାକୁ ଦେବା ଉଚିତ । ରୋଗୀର ଛେପ, ଖଙ୍କାରକୁ ଏଣେତେଣେ ନ ପକାଇ ଗୋଟିଏ ପାତ୍ରରେ ରଖି ପରେ ଏହାକୁ ନିଆଁରେ ପୋଡ଼ିଦେବା ଉଚିତ । ରୋଗୀର ବିଛଣାପତ୍ର ପ୍ରତ୍ୟେକ ଦିନ ଟାଣ ଖରାରେ ଶୁଖାଇବା ଉଚିତ ।

Image

 

ହଇଜା ବା ଝାଡ଼ାବାନ୍ତି

 

ଏହା ଗୋଟିଏ ମାରାତ୍ମକ ସଂକ୍ରାମକ ରୋଗ ଏବଂ ଏକପ୍ରକାର ଜୀବାଣୁଦ୍ୱାରା ସୃଷ୍ଟି ହୋଇଥାଏ । ଆମ ଦେଶରେ ଏହି ରୋଗ ସାଧାରଣତଃ ବର୍ଷାଋତୁର ଆରମ୍ଭରେ ବିଶେଷ ଭାବରେ ଦେଖାଯାଏ । ରୋଗୀର ଝାଡ଼ା ଓ ବାନ୍ତିରେ ଏହି ଜୀବାଣୁ ଦେଖାଯାନ୍ତି । ଏହି ଝାଡ଼ା ଓ ବାନ୍ତିର ସଂସ୍ପର୍ଶରେ ଆସୁଥବା ଜଳ ଏବଂ ଖାଦ୍ୟପଦାର୍ଥ ସୁସ୍ଥ ଲୋକ ଖାଇବା ଦ୍ୱାରା ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏତଦ୍‌ବ୍ୟତୀତ ମାଛି ଜୀବାଣୁ ପୂର୍ଣ୍ଣ ଝାଡ଼ା ଓ ବାନ୍ତିରେ ବସି ପରେ ଖାଦ୍ୟପଦାର୍ଥରେ ବସିଲେ ଏହା ଦୂଷିତ ହୋଇଥାଏ ଏବଂ ରୋଗ ଶୀଘ୍ର ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସଂକ୍ରମିତ ହୋଇଥାଏ । ରୋଗୀଦ୍ୱାରା ବ୍ୟବହୃତ ହେଉଥିବା ଲୁଗାପଟା ଓ ବାସନକୁସନ ମଧ୍ୟ ଏହି ରୋଗ ପ୍ରସାରର ସହାୟକ ହୋଇଥାଏ ।

 

ରୋଗ ଦେଖାଯିବାର ପ୍ରାରମ୍ଭରେ ରୋଗୀକୁ ଚାଉଳଧୁଆ ପାଣି ପରି ପତଳା ଝାଡ଼ା ହେବା ସଙ୍ଗେ ସଙ୍ଗେ ପାଣିପରି ବାନ୍ତି ମଧ୍ୟ ହୁଏ ଗୋଟିଏ ଦିନ ଭିତରେ ୪୦ରୁ ୫୦ଥର ପତଳା ଝାଡ଼ା ହେବା ଫଳରେ ରୋଗୀ ବହୁତ ହାଲିଆ ହୋଇପଡ଼େ । ଗାଲ ଓ ଆଖି ଭିତରକୁ ପଶିଯାଏ । ହାତ ଓ ପାଦ ଧଳା ଦେଖାଯାଏ । ଦେହର ଉତ୍ତାପ କମିଯାଏ ଏବଂ ନିଶ୍ୱାସ ପ୍ରଶ୍ୱାସ ପ୍ରଖର ହୁଏ । ପରିସ୍ରା କମି କମି ସଂପୂର୍ଣ୍ଣ ବନ୍ଦ ହୋଇଯାଏ । ରୋଗୀ ଖୁବ୍‌ ବ୍ୟତିବ୍ୟସ୍ତ ହୁଏ । ତଣ୍ଟି ଶୁଖିଯାଏ ଏବଂ ଗୋଡ଼ ହାତର ମାଂସପେଶୀ ଟାଣ ହୋଇଯାଏ । ସାଧାରଣତଃ ଏହି ସମୟରେ ଦେହ ଭିତରେ ପାଣିର ଅଭାବ ଯୋଗୁଁ ସନ୍ନିପାତ ଘୋଟି ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ । ଏହାପରେ ରୋଗୀର ଝାଡ଼ା ଓ ବାନ୍ତି ଆସ୍ତେ ଆସ୍ତେ କମିଯାଏ । ଦେହର ଉତ୍ତାପ ସାଧାରଣ ହୋଇଯାଏ । ସାଧାରଣତଃ ଦୁଇରୁ ତିନିଦିନ ମଧ୍ୟରେ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାଏ । ପିଲାମାନଙ୍କୁ ଏହି ରୋଗ ଆକ୍ରମଣ କଲେ ସାମାନ୍ୟ ଜ୍ୱର ହୁଏ । ବହୁତ ଥର ଝାଡ଼ା ନ ହେଲେ ମଧ୍ୟ ପିଲା ନିସ୍ତେଜ ହୋଇପଡ଼େ ଏବଂ ସବୁବେଳେ ଶୋଇ ରୁହେ । ବେଳେବେଳେ ପିଲାର ହାତ ଗୋଡ଼ ଟାଣ ଟାଣ ହୋଇ ପିହୁଳା ମାରେ ଏବଂ ପିଲା ମୃତ୍ୟୁମୁଖରେ ପଡ଼ିଥାଏ ।

 

ହଇଜା ଆକ୍ରମଣରୁ ରକ୍ଷା ପାଇବା ପାଇଁ ହଇଜା ପ୍ରତିଷେଧକ ଟିକା ନେବା ବିଧେୟ । ସାଧାରଣତଃ ଏକ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି ଟିକା ଦିଆଯାଏ ନାହିଁ । ଏହି ଇଂଜେକସନ୍‌ ନେବାପରେ ସେ ସ୍ଥାନଟି ଅଳ୍ପ ଫୁଲି ନାଲି ଦେଖାଯାଏ, ଦରଜ ହୁଏ ଏବଂ ସାମାନ୍ୟ ଜ୍ୱର ହୁଏ । ଦୁଇ ତିନି ଦିନ ମଧ୍ୟରେ ଏହା ସଂପୂର୍ଣ୍ଣ ଭଲ ହୋଇଯାଏ ତୀର୍ଥସ୍ଥାନ, ଯାତ୍ରାସ୍ଥାନ ଓ ମେଳା ପ୍ରଭୃତିରେ ବହୁତ ଲୋକଙ୍କ ସମାଗମ ଯୋଗୁଁ ପାନୀୟ ଜଳ, ଖାଦ୍ୟ ପଦାର୍ଥ ଦୂଷିତ ହେବା ସଙ୍ଗେ ସଙ୍ଗେ ହଇଜା ବ୍ୟାପିବାର ବହୁତ ସମ୍ଭାବନା ଥିବାରୁ ପ୍ରତ୍ୟେକ ଲୋକ ଏହି ଟିକା ନେବା ଉଚିତ ।

 

ପ୍ରତିଷେଧକ ବ୍ୟବସ୍ଥା :

 

କୌଣସି ବ୍ୟକ୍ତିକୁ କ୍ରମାଗତ ଗତ ୧୦ । ୧୨ ଥର ପତଳା ଝାଡ଼ା ଓ ବାନ୍ତି ହେଲେ ତାହାର ଝାଡ଼ାକୁ ପରୀକ୍ଷା କରାଇ କଲେରା ଜୀବାଣୁ ଥିଲେ ଶୀଘ୍ର ଚିକିତ୍ସା ଆରମ୍ଭ କରିବା ଦରକାର-। ରୋଗୀକୁ ଗୋଟିଏ ଅଲଗା ଘରେ ରଖିବା ଉଚିତ । ରୋଗୀ ପାଖକୁ ବେଶୀ ଲୋକ ବା ପିଲାମାନେ ଯିବା ଆସିବା କରିବା ଉଚିତ ନୁହେଁ । ରୋଗୀର ଝାଡ଼ାବାନ୍ତି ଏକାଠି ଗୋଟିଏ ପାତ୍ରରେ ରଖି ଘରପାଖରୁ ଦୂରରେ ଗାତଖୋଳି ଅଳିଆ ସହିତ ମିଶାଇ ପୋଡ଼ିଦେବା ଉଚିତ । କୌଣସି ସ୍ଥାନରେ ହଇଜାରୋଗ ବ୍ୟାପିବାର ଜଣାଗଲେ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଥିବା ଡାକ୍ତରଙ୍କୁ ଖବର ଦେବା ଉଚିତ । ଏହା ଫଳରେ ରୋଗୀର ଚିକିତ୍ସାରେ ସୁବିଧା ହେବା ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନଙ୍କୁ ହଇଜା ପ୍ରତିଷେଧକ ଟିକା ଦିଆଯାଇ ରୋଗ କବଳରୁ ସହଜରେ ରକ୍ଷା କରାଯାଇ ପାରିବ ।

 

ଏହି ରୋଗର ଏକମାତ୍ର ଚିକିତ୍ସା ହେଲା ଯେତିକି ମାତ୍ରାରେ ପାଣି ଦେହ ଭିତରୁ ଝାଡ଼ା ଓ ବାନ୍ତି ମାଧ୍ୟମରେ ବାହାରକୁ ବାହାରି ଆସିଥାଏ, ସେତିକି ପାଣି ଦେହ ଭିତରକୁ ଭର୍ତ୍ତି କରାଯାଇ ଦେହରେ ଥିବା ପାଣିର ମାତ୍ରାକୁ ସମାନ ପରିମାଣ କରିବା ଏବଂ ହଇଜା ଜୀବାଣୁନାଶକ ଔଷଧ ଖାଇବା । ତେଣୁ ରୋଗୀକୁ ଚିନିପାଣି ସଙ୍ଗେ ସାମାନ୍ୟ ଲୁଣ ମିଶାଇ ମନଇଚ୍ଛା ପିଇବାକୁ ଦେବା ଉଚିତ । ପଇଡ଼ପାଣି ଏଥିପାଇଁ ସର୍ବୋକୃଷ୍ଟ । ବର୍ତ୍ତମାନ ବଜାରରେ ଓରସ୍ (ORS) ନାମକ ଏକ ପ୍ରକାର ପାଉଡ଼ର ପୁଡ଼ିଆ ମିଳୁଛି। ଏକ ଲିଟର ବିଶୁଦ୍ଧ ପାଣିରେ ଏହି ପୁଡ଼ିଆରେ ଥିବା ପାଉଡ଼ରକୁ ଭଲ ଭାବରେ ଗୋଳାଇ ପ୍ରତ୍ୟେକ ୨ ଘଣ୍ଟାରୁ ୪ ଘଣ୍ଟା ଅନ୍ତରରେ ରୋଗୀକୁ ପିଇବାକୁ ଦେବା ଉଚିତ । ଯଦି ରୋଗୀର ଝାଡ଼ା ବନ୍ଦ ନହୁଏ ଏବଂ ରୋଗୀ ସନ୍ନିପାତ ଆଡ଼କୁ ଗତି କରେ ତେବେ ତା ଶିରାରେ ଗ୍ଳୁକୋଜ ସେଲାଇନ ଇଂଜେକ୍‌ସନ୍ ଦେବା ବିଧେୟ । ତା ନ ହେଲେ ରୋଗୀକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶୀଘ୍ର ସ୍ଥାନାନ୍ତରିତ କରିବା ଉଚିତ । ଝାଡ଼ା ଓ ବାନ୍ତି କମି ଆସିଲେ ରୋଗୀକୁ ପତଳା ବାର୍ଲି ପିଇବାକୁ ଦେବା ଦରକାର । କ୍ରମେ କ୍ରମେ ଅଳ୍ପ ପରିମାଣର ଭାତକୁ ଭଲଭାବରେ ସିଝାଇ ଦୁଧ ସଙ୍ଗେ ଚକଟି ଖାଇବାକୁ ଦିଆ ଯାଇପାରେ । ଏହାଦ୍ୱାରା ରୋଗୀ ୫।୬ ଦିନ ମଧ୍ୟରେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରେ ଏବଂ ସୁସ୍ଥ ଲୋକ ପରି ଖାଦ୍ୟ ପଦାର୍ଥ ଖାଇବା ଓ ଚଳପ୍ରଚଳ କରିବାରେ ସମର୍ଥ ହୁଏ ।

 

ଏହି ରୋଗ ଯେପରି ନ ହେବ ସେଥିପାଇଁ ସର୍ବଦା ପାଣିକୁ ଫୁଟାଇ ଥଣ୍ଡାକରି ପିଇବା ଉଚିତ । ଖାଦ୍ୟ ପଦାର୍ଥ ସର୍ବଦା ଘୋଡ଼ାଇ ରଖିବା ଉଚିତ । ସବୁବେଳେ ତଟକା ଓ ଗରମ ଖାଦ୍ୟ ଖାଇବା ଦରକାର । ବଜାର ତଥା ହୋଟେଲରେ ଖାଇବା ଉଚିତ ନୁହେଁ । ବାସି, ପଚାସଢ଼ା କିମ୍ୱା କଞ୍ଚା ଫଳମୂଳ ଖାଇବା ଉଚିତ ନୁହେଁ । ଏଣେ ତେଣେ ଝାଡ଼ା ନ ଯାଇ ଗୋଟିଏ ସ୍ଥାନରେ ବଡ଼ ଗାତ ଖୋଳି ଝାଡ଼ା ଫେରିବା ଦରକାର ଏବଂ ପରେ ମାଛି ଯେପରି ବସି ନ ପାରନ୍ତି ସେଥିପାଇଁ ତା ଉପରେ ମାଟି ଘୋଡ଼ାଇ ଦେବା ବିଧେୟ । ଲୋକମାନଙ୍କୁ ରେଡ଼ିଓ, ଚଳଚ୍ଚିତ୍ର ଓ ଟେଲିଭିଜନ ମାଧ୍ୟମରେ ରୋଗ କିପରି ପ୍ରସାର ଲାଭ ନ କରି ପାରିବ ସେ ବିଷୟରେ ଉପଯୁକ୍ତ ଶିକ୍ଷା ଦେବା ଉଚିତ ।

Image

 

ଆନ୍ତ୍ରିକଜ୍ୱର ବା ଟାଇଫଏଡ୍‌

 

ଆନ୍ତ୍ରିକଜ୍ୱର କହିଲେ ଟାଇଫଏଡ୍‍ ଓ ପାରାଟାଇଫଏଡ୍‍ ରୋଗକୁ ବୁଝାଏ । ଏହି ରୋଗ ଏକପ୍ରକାର ଜୀବାଣୁଦ୍ଵାରା ଜାତ ହୋଇଥାଏ । ଏହା ପୃଥିବୀର ପ୍ରାୟ ସବୁଦେଶରେ ଦେଖାଯାଏ । ଭାରତବର୍ଷରେ ଏହି ରୋଗ ଏକ ବ୍ୟାପକ ତଥା ସାଧାରଣ ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ଦେଖା ଦେଇଛି । ଆମେରିକା ଓ ଇଂଲଣ୍ଡରେ ଏହି ରୋଗରେ ମୃତ୍ୟୁହାର ସଂଖ୍ୟା ଅଧିକ ହ୍ରାସ ପାଇଥିଲେ ହେଁ ଭାରତବର୍ଷରେ ଏହି ହାର ସନ୍ତୋଷ ଜନକ ନୁହେଁ ।

 

ଏହି ରୋଗ ସାଧାରଣତଃ ୧୦ ବର୍ଷରୁ ୩୦ ବର୍ଷ ବୟସର ଲୋକମାନଙ୍କୁ ବିଶେଷ ଭାବରେ ଆକ୍ରମଣ କରୁଥିଲେ ମଧ୍ୟ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନ ଥାଏ । ମହିଳାମାନେ ଏହି ରୋଗର ଜୀବାଣୁ ବାହକ ହୋଇଥିଲେ ମଧ୍ୟ ପୁରୁଷମାନେ ଅଧିକ ସଂଖ୍ୟାରେ ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗର ଜୀବାଣୁ ସାଧାରଣତଃ ରୋଗୀର ଝାଡ଼ା ଓ ପରିସ୍ରାରେ ବହୁତ ପରିମାଣରେ ଥାଆନ୍ତି ଏବଂ ଦୂଷିତ ଜଳ ଓ ଖାଦ୍ୟଦ୍ୱାରା ଏହା ପ୍ରସାର ଲାଭ କରିଥାଏ । ମାଛି ରୋଗୀର ଝାଡ଼ାରେ ବସିବା ପରେ ଖାଦ୍ୟ ପଦାର୍ଥ ଉପରେ ବସିଲେ ତା ଗୋଡ଼ରେ ଲାଗିଥିବା ଜୀବାଣୁଦ୍ୱାରା ଖାଦ୍ୟକୁ ଦୂଷିତ କରେ ଏବଂ ସୁସ୍ଥଲୋକ ସେହି ଖାଦ୍ୟ ଖାଇଲେ ସହଜରେ ରୋଗର ସମ୍ମୁଖୀନ ହେ।ଇଥାନ୍ତି । ଏହା ବ୍ୟତୀତ କଞ୍ଚା କ୍ଷୀର ପିଇଲେ କିମ୍ବା ନାଳ ନର୍ଦ୍ଦମା ପାଖରେ ହୋଇଥିବା ପନିପରିବା କଞ୍ଚା ଖାଇଲେ ସେ ରୋଗର ଜୀବାଣୁ ପେଟ ଭିତରକୁ ଯାଇ ରୋଗ ସୃଷ୍ଟି କରିଥାଏ । ଏହି ରୋଗ ବର୍ଷର ପ୍ରାୟ ସବୁ ସମୟରେ ଦେଖାଯାଉଥିଲେ ହେଁ ବର୍ଷାଋତୁରେ ଏହା ବହୁଳ ଭାବରେ ଦେଖାଯାଏ ।

 

ଏହି ରୋଗରେ ଆକ୍ରାନ୍ତ ହେଲେ ପ୍ରଥମ ୪।୫ ଦିନ ଅଳ୍ପ ଅଳ୍ପ ମୁଣ୍ଡ ବିନ୍ଧେ । ଦେହ ଘୋଳା-ବିନ୍ଧା ହୁଏ । ଜର ଜର ଲାଗେ । ଖାଇବାକୁ କିଛି ଇଚ୍ଛା ହୁଏନାହିଁ କି ଶାରୀରିକ ତଥା ମାନସିକ ପରିଶ୍ରମ କରିବାକୁ ଆଗ୍ରହ ହୁଏନାହିଁ । ଦେହର ଉତ୍ତାପ ସନ୍ଧ୍ୟାବେଳକୁ ସାମାନ୍ୟ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସପ୍ତାହକ ଭିତରେ ଏହା ୧୦୩˚ ଡିଗ୍ରୀ ରୁ ୧୦୪˚ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥାଏ ଏବଂ ଜ୍ୱର ମଝିରେ ମଝିରେ ସାମାନ୍ୟ କମି ଯାଉଥିଲେ ମଧ୍ୟ କେତେବେଳେ ସ୍ଵାଭାବିକ ହୁଏନାହିଁ । ପ୍ରଥମାବସ୍ଥାରେ ଝାଡ଼ା ସଫା ହୁଏନାହିଁ । ମାତ୍ର ପରେ ପାଣି ପରି ପତଳା, ମାଟିଆ ଧୂସର ରଙ୍ଗର ଝାଡ଼ା ହୁଏ । ଜିଭ ଶୁଖିଯାଏ ଏବଂ ଜିଭର ମଧ୍ୟ ଭାଗରେ ଏକ ବହଳିଆ ସ୍ତର ପଡ଼ିଥିବାର ଦେଖାଯାଏ । ରୋଗୀର ପ୍ଳୀହା ବଢ଼ିଯାଏ ଏବଂ ବାମ ପଟ ପେଟ ଚିପିଲେ ଦରଜ ଲାଗେ । ରୋଗୀର ଏହିପରି ଅବସ୍ଥାକୁ ‘‘ସମ୍ପୂର୍ଣ୍ଣ ଟାଇଫଏଡ୍‍’’ ବୋଲି କୁହାଯାଏ । ଆସ୍ତେ ଆସ୍ତେ ରୋଗୀର ଦେହ ହାତ ଥରିବା, ଅସ୍ପଷ୍ଟ କଥାଭାଷା, ମାଂସପେଶୀ ଟାଣି ହୋଇଯିବା ଏବଂ ବିଛଣାରେ ଝାଡ଼ା ପରିସ୍ରା ହେବା ଇତ୍ୟାଦି ସ୍ନାୟୁବିକ ଦୁର୍ବଳତା ବିଶେଷ ଭାବରେ ପରିଲକ୍ଷିତ ହୁଏ-। ରୋଗୀର ନିଦ କ୍ରମେ କ୍ରମେ ହ୍ରାସ ପାଏ । ଏହି ରୋଗ ବେଳେବେଳେ ପୂର୍ବପରି କ୍ରମାଗତ ନ ହୋଇ ପାଳିଜ୍ୱର ଭଳି ହଠାତ୍ ଜ୍ୱର ଓ କମ୍ପରୁ ଆରମ୍ଭ ହୋଇଥାଏ । ସାଧାରତଃ ଶିଶୁ ଓ ଛୋଟ ପିଲାମାନଙ୍କୁ ଏହି ରୋଗ ଆକ୍ରମଣ କଲେ ବାନ୍ତି ଓ ଝାଡ଼ା ହୁଏ କିମ୍ବା ଜ୍ୱର ଥିଲାବେଳେ ପିହୁଳା ମାରେ ।

 

ବର୍ତ୍ତମାନ ଆମ ଦେଶରେ ଏହି ରୋଗରୁ ରକ୍ଷା ପାଇବା ପାଇଁ ଏକ ପ୍ରକାର ଟିକାର ପ୍ରଚଳନ କରାଯାଇଛି । ଏହି ଟିକା ସାଧାରଣତଃ ଏକ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ଦିଆ ଯାଇଥାଏ । ଏହି ଇଞ୍ଜେକ୍‌ସନ୍ ଚାରି ସପ୍ତାହରୁ ଛଅ ସପ୍ତାହ ବ୍ୟବଧାନରେ ଦୁଇଥର ମାଂସପେଶୀ ମଧ୍ୟରେ ଦିଆ ଯାଇଥାଏ । ଏହି ଟିକା ନେବାପରେ ଦେହ ହାତ ଘୋଳା-ବିନ୍ଧା ହେବା ସଙ୍ଗେ ସଙ୍ଗେ ସାମାନ୍ୟ ଜର ଜର ଲାଗେ । ଇଞ୍ଜେକ୍‌ସନ୍‌ ନେବା ଜାଗାଟି ସାମାନ୍ୟ ଫୁଲି ଦରଜ ଓ ବିନ୍ଧା ହୁଏ । ଏହି ଟିକା ଟାଇଫଏଡ୍‍ ରୋଗୀକୁ ପୂରାପୂରି ନିରୋଧ କରୁ ନ ଥିଲେ ମଧ୍ୟ ରୋଗର ଆକ୍ରମଣ ମାତ୍ରାକୁ ବହୁତ ପରିମାଣରେ ହ୍ରାସ କରିଥାଏ ।

 

ପ୍ରତିଷେଧକ ବ୍ୟବସ୍ଥା :

 

ରୋଗୀକୁ ଗୋଟିଏ ଅଲଗା ଘରେ ରଖିବା ଉଚିତ । ତା’ ସଙ୍ଗେ ବସାଉଠା, ଖିଆପିଆ କରିବା ଉଚିତ ନୁହେଁ କିମ୍ୱା ସେ ବ୍ୟବହାର କରୁଥିବା ଲୁଗାପଟା, ବାସନକୁସନ ଯେପରି ଘରର ଅନ୍ୟମାନେ ବ୍ୟବହାର ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବା ଦରକାର । ରୋଗୀର ଝାଡ଼ା, ପରିସ୍ରା, ବାନ୍ତି, ଛେପ ଓ ଖଙ୍କାର ଇତ୍ୟାଦି ଏଣେତେଣେ ନ ପକାଇ ଗୋଟିଏ ପାତ୍ରରେ ରଖିବା ସଙ୍ଗେ ସଙ୍ଗେ ଏକ ଗାତଖୋଳି ଏହାକୁ ପକାଇ ଅଳିଆ ସହିତ ମିଶାଇ ପୋଡ଼ିଦେବା ଉଚିତ । ରୋଗୀର ଲୁଗାପଟା ଓ ବାସନ କୁସନ ନଈ କିମ୍ବା ପୋଖରୀରେ ନ ଧୋଇ ଫୁଟାପାଣିରେ ଘରେ ଧୋଇବା ବିଧେୟ । ରୋଗୀର ଖାଦ୍ୟପଦାର୍ଥ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । ପ୍ରଥମାବସ୍ଥାରେ ରୋଗୀକୁ କ୍ଷୀର, ଫଳରସ, ବାର୍ଲି ଏବଂ ଥଣ୍ଡା ଫୁଟା ପାଣି ପିଇବାକୁ ଦେବା ଉଚିତ । ଦେହର ଉତ୍ତାପ ୧୦୨˚ ଡିଗ୍ରୀରୁ ଅଧିକ ହେଲେ ଥଣ୍ଡା ପାଣିରେ ମୁଣ୍ଡ ଓ ଦେହ ହାତ ଧୋଇଦେବା ସଙ୍ଗେ ସଙ୍ଗେ ମୁଣ୍ଡରେ ବରଫ କିମ୍ବା ଥଣ୍ଡା ପାଣି ପଟି ଦେଇ ଜ୍ୱର ଯେପରି କମିଯାଏ, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀକୁ ଉପଯୁକ୍ତ ଔଷଧ ଦେଲେ ଏହି ରୋଗ ଶୀଘ୍ର ଭଲ ହୋଇଯାଏ । ଜ୍ୱର କମିଗଲେ ରୋଗୀକୁ ବିସ୍କୁଟ, ପାଉଁରୁଟି, ଦୋରନ୍ଧା ଭାତ ଓ ଦରସିଝା ଅଣ୍ଡା ଖାଇବାକୁ ଦେବା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

 

ଏହା ବ୍ୟତୀତ କୌଣସି ସ୍ଥାନରେ ଅଳ୍ପଦିନ ବ୍ୟବଧାନରେ ବହୁତ ଲୋକ ଏହି ରୋଗରେ ଆକ୍ରାନ୍ତ ହେବାର ଦେଖାଗଲେ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖବର ଦେବା ସଙ୍ଗେ ସଙ୍ଗେ ପିଲା ତଥା ବୟସ୍କ ଲୋକମାନେ ଟାଇଫଏଡ୍‍ ଇଂଜେକ୍‌ସନ ନେବା ଉଚିତ । ଉକ୍ତ ଅଞ୍ଚଳରେ ଥିବା ସମସ୍ତ ଗାଡ଼ିଆ, ପୋଖରୀ ଓ କୂଅମାନଙ୍କରେ ବ୍ଳିଚିଂ ପାଉଡ଼ର ପକାଇବା ଦରକାର । ସଦାସର୍ବଦା ପାଣିକୁ ଫୁଟାଇ ଥଣ୍ଡାକରି ପିଇବା ଉଚିତ । ମାଛି ଯେପରି ଖାଦ୍ୟ ପଦାର୍ଥରେ ନ ବସନ୍ତି, ସେଥିପ୍ରତି ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ଗରମ ଓ ତଟକା ଖାଦ୍ୟ ଖାଇବା ଉଚିତ । ଖାଇବା ପୂର୍ବରୁ ହାତକୁ ଭଲଭାବରେ ସାବୁନ ଓ ଗରମ ପାଣିରେ ଧୋଇବା ଉଚିତ । ହାଟବଜାର ତଥା ହୋଟେଲରେ ଖାଇବା ତଥା ପାଣି ପିଇବାକୁ ଯେତେଦୂର ଏଡ଼ାଇ ଦିଆଯାଇପାରେ ସେଥିପ୍ରତି ସତର୍କତା ଅବଲମ୍ବନ କରିବା ବିଧେୟ । ତେଣୁ ଖାଦ୍ୟ ଓ ପାନୀୟ ପ୍ରତି ଉପଯୁକ୍ତ ଧ୍ୟାନ ଦେଲେ ଏହି ରୋଗ ପ୍ରସାର ଲାଭ କରିପାରେ ନାହିଁ ।

Image

 

ଆମାଶୟ ବା ଡିସେଣ୍ଟ୍ରି

 

ଆମ ଦେଶରେ ସାଧାରଣତଃ ଦୁଇପ୍ରକାରର ଆମାଶୟ ରୋଗ ଦେଖାଯାଏ, ଯଥା : ଆମିବିକ ଡିସେଣ୍ଟ୍ରି ଏବଂ ବାସିଲେଭି ଡିସେଣ୍ଟ୍ରି । ଏହି ରୋଗ କେତେକ ଜୀବାଣୁଦ୍ୱାରା ହୋଇଥାଏ । ବର୍ତ୍ତମାନ ପୃଥିବୀର ପ୍ରାୟ ସବୁ ଦେଶରେ ଏହି ରୋଗ ଦେଖାଯିବା ସଙ୍ଗେ ସଙ୍ଗେ ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ଏହା ବିବେଚିତ । ଭାରତ ବର୍ଷରେ ଶତକଡ଼ା ୧୫ ଭାଗ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଥିଲେ ହେଁ ଅପରିଷ୍କାର ଓ ଆବର୍ଜ୍ଜନାପୂର୍ଣ୍ଣ ସ୍ଥାନରେ ଏହା ବିଶେଷ ଭାବରେ ଦେଖାଯାଏ । ବମ୍ବେ, ଲକ୍ଷ୍ମୋ, କଲିକତା, ଅମୃତସର ତଥା କାନପୁର ପ୍ରଭୃତି ସହରରେ ଏହି ରୋଗୀମାନଙ୍କ ସଂଖ୍ୟା ବିଶେଷ ଦୃଷ୍ଟିଗୋଚର ହୋଇଥାଏ ।

 

ଆମାଶୟ ରୋଗର ଜୀବାଣୁ ସାଧାରଣତଃ ରୋଗୀର ଝାଡ଼ା ସହିତ ବାହାରକୁ ଆସିଥାଏ । ଏହି ଜୀବାଣୁ ପାଣି ସଂସ୍ପର୍ଶରେ ଆସି ପାନୀୟ ମାଧ୍ୟମରେ ସୁସ୍ଥ ଲୋକଙ୍କୁ ଆକ୍ରମଣ କରିଥାଏ । ଏତଦ୍‌ବ୍ୟତୀତ ରୋଗୀର ନଖ ସନ୍ଧିରେ ଏହି ଜୀବାଣୁମାନେ ଆସି ଖାଦ୍ୟପଦାର୍ଥକୁ ଦୂଷିତ କରିଥାନ୍ତି । ନାଳ ଓ ନର୍ଦ୍ଦମା ପାଖରେ ହୋଇଥିବା ପନିପରିବା କଞ୍ଚା କିମ୍ୱା ଭଲଭାବରେ ନ ସିଝାଇ ଖାଇଲେ ଜୀବାଣୁମାନେ ଦେହ ଭିତରକୁ ପ୍ରବେଶ କରିଥାନ୍ତି । ଏହାଛଡ଼ା ମାଛି ଜୀବାଣୁପୂର୍ଣ୍ଣ ଝାଡ଼ାରେ ବସିବା ପରେ ଖାଦ୍ୟ ପଦାର୍ଥରେ ବସିବା ଯୋଗୁଁ ଏହାକୁ ଦୂଷିତ କରିଥାଏ ଏବଂ ଦୂଷିତ ଖାଦ୍ୟ ମଧ୍ୟରେ ସୁସ୍ଥ ଲୋକମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗ ସବୁ ବୟସର ଲୋକଙ୍କୁ ଆକ୍ରମଣ କରିଥାଏ । ସାଧାରଣତଃ ଦରିଦ୍ର, ଅଶିକ୍ଷିତ ଓ ସ୍ୱାସ୍ଥ୍ୟଶିକ୍ଷା ସଂପର୍କରେ ସଚେତନ ନ ଥିବା ସହରତଳି ଓ ମଫସଲ ଅଞ୍ଚଳରେ ବସବାସ କରୁଥିବା ଏବଂ ଖୋଲା ପଡ଼ିଆରେ ଝାଡ଼ା ଯାଉଥିବା ଲୋକମାନେ ଏହି ରୋଗଦ୍ୱାରା ବିଶେଷ ଭାବରେ ଆକ୍ରାନ୍ତ ହୋଇଥାନ୍ତି ।

 

ଥରକୁ ଥର ଝାଡ଼ା ହେବା ଏବଂ ଝାଡ଼ା ସଙ୍ଗେ ସଙ୍ଗେ ପେଟ ଟାଣିବା, ମଳଦ୍ୱାର ବ୍ୟଥା ହେବା ଓ ଗୋଡ଼ ହାତ ଅବଶ ଲାଗିବା ଏହି ରୋଗର ପ୍ରଧାନ ଲକ୍ଷଣ । ଝାଡ଼ାରେ ମଳ ସହିତ ନାଳ ଓ ରକ୍ତ ମଧ୍ୟ ପଡ଼ିଥାଏ । ସାଧାରଣତଃ ଆମିବିକ୍ ଡିସେଣ୍ଟ୍ରିରେ ଅଳ୍ପଥର ଝାଡ଼ା ହେଲେ ମଧ୍ୟ ଝାଡ଼ାରେ ମଳ ପରିମାଣ ବେଶୀ ଥାଏ ଏବଂ ଏହା ନାଳ ଓ ରକ୍ତ ସହିତ ମିଶି ବାହାରକୁ ଆସିଥାଏ-। ଝାଡ଼ା ଖଟାଳିଆ ଗନ୍ଧ ହୁଏ । ମାତ୍ର ବେସିଲେରି ଡିସେଣ୍ଟ୍ରିରେ ଘନ ଘନ ଝାଡ଼ା ହୁଏ । ଝାଡ଼ାରେ ମଳର ପରିମାଣ ଅଳ୍ପ ଥାଏ । କଞ୍ଚାରକ୍ତ ଓ ନାଳ ମଳ ସହିତ ନ ମିଶି ପରେ ଅଲଗା ପଡ଼ିଥାଏ-। ଦେହରେ ସାମାନ୍ୟ ଜ୍ୱର ରୁହେ । ଆମାଶୟ ଝାଡ଼ା ସାଧାରଣତଃ ୩ ଦିନରୁ ୪ ଦିନ ପର୍ଯ୍ୟନ୍ତ ରହେ-। ମାତ୍ର ଉପଯୁକ୍ତ ଚିକିତ୍ସାର ଅଭାବରୁ ଏବ ରୋଗର ଜୀବାଣୁ ବର୍ଷ ବର୍ଷ ଧରି ପେଟ ଭିତରେ ରହିଥାଏ ଏବଂ ମଧ୍ୟେ ମଧ୍ୟେ ବ୍ୟାପକ ଆକାର ଧାରଣ କରି ଲୋକମାନଙ୍କୁ ହଇରାଣ କରିଥାଏ-

 

ପ୍ରତିଷେଧକ ବ୍ୟବସ୍ଥା :

 

ଖାଦ୍ୟ ଓ ପାନୀୟ ଏହି ରୋଗ ପ୍ରସାରର ମାଧ୍ୟମ ହୋଇଥିବାରୁ ପାଣିକୁ ସର୍ବଦା ଫୁଟାଇ ଥଣ୍ଡା କରି ପିଇବା ଉଚିତ । ଖାଦ୍ୟପଦାର୍ଥ ଘୋଡ଼ାଇ ରଖି ତଟକା ଓ ଉଷୁମ ଅବସ୍ଥାରେ ଖାଇବା ସଙ୍ଗେ ସଙ୍ଗେ ରୋଷାଇ ଘରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦେବା ବିଧେୟ । ନଳକୂପର ପାଣି ପିଇବା ସ୍ଵାସ୍ଥ୍ୟ ପକ୍ଷରେ ସବୁଠାରୁ ହିତକର । କଞ୍ଚା ଫଳ ଓ ପନିପରିବାକୁ ଭଲଭାବରେ ଧୋଇ ଖାଇବା ଦରକାର । ପ୍ରତ୍ୟେକ ଥର ଝାଡ଼ା ଯିବା ପରେ ପରେ ହାତକୁ ମାଟିରେ ନ ଘଷି ସାବୁନ ଓ ପାଣି ବ୍ୟବହାର କରି ଭଲଭାବରେ ଧୋଇବା ଉଚିତ । ନଖମୂଳ ଓ ଅଙ୍ଗୁଳି ସନ୍ଧି ପ୍ରତି ବିଶେଷ ଦୃଷ୍ଟି ଦେବା ଦରକାର । କାରଣ ଆମାଶୟ ଜୀବଣୁ ଏହି ସ୍ଥାନମାନଙ୍କରେ ଲାଗି କରି ରହିଥାନ୍ତି । ଖାଦ୍ୟ ପଦାର୍ଥ ଖାଇବା ଆଗରୁ ମଧ୍ୟ ହାତକୁ ଭଲଭାବରେ ପରିଷ୍କାର କରିବା ବିଧେୟ । ଖୋଲା ପଡ଼ିଆରେ ଏଣେତେଣେ ଝାଡ଼ା ନ ଯାଇ ଗୋଟିଏ ବଡ଼ ଗାତ ଖୋଳି ସେଥିରେ ଝାଡ଼ାଫେରି ତା ଉପରେ ମାଟି ଘୋଡ଼ାଇ ଦେବା ଉଚିତ, ଫଳରେ ମାଛି ଝାଡ଼ା ଉପରେ ବସି ପାରେନାହିଁ କିମ୍ୱା ଖାଦ୍ୟପଦାର୍ଥ ଦୂଷିତ ହେବାର ସମ୍ଭାବନା ମଧ୍ୟ କମ୍ ଥାଏ ।

 

ଏହି ରୋଗରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଥିବା ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଦେବା ବିଧେୟ । ଝାଡ଼ା ହେଉଥିବା ବେଳେ ରୋଗୀକୁ ବାର୍ଲି, ସାଗୁ ପ୍ରଭୃତି ତରଳ ଖାଦ୍ୟ ଖାଇବାକୁ ଦେବା ଉଚିତ । ପେଟରେ ହେଉଥିବା ଯନ୍ତ୍ରଣା ଓ ଦରଜ କମାଇବା ପାଇଁ ଥରକୁ ଥର ଗରମ ପାଣି ସେକ ଦେବା ଦରକାର । ପରିବାରର ଅନ୍ୟମାନଙ୍କର ଝାଡ଼ା ପରୀକ୍ଷା କରି ରୋଗର ଜୀବାଣୁ ଥିଲେ ସେମାନଙ୍କୁ ମଧ୍ୟ ଔଷଧ ଖାଇବାକୁ ଦେବା ଉଚିତ । ଏହି ରୋଗର ଜୀବାଣୁ ବହୁତ ବର୍ଷ ପର୍ଯ୍ୟନ୍ତ ଅନ୍ତନଳୀ ମଧ୍ୟରେ ରହି ଯକୃତକୁ ଆକ୍ରମଣ କରିଥାଏ । ତେଣୁ ଝାଡ଼ା ସ୍ୱାଭାବିକ ହେଉଥିଲେ ମଧ୍ୟ ପ୍ରତ୍ୟେକ ୩/୪ ମାସ ବ୍ୟବଧାନରେ ଝାଡ଼ା ପରୀକ୍ଷା କରି ଜୀବାଣୁ ଥିଲେ ଔଷଧ ଖାଇବା ଦରକାର । କଞ୍ଚାବେଲ ପୋଡ଼ା ଖାଇଲେ ଏହି ରୋଗରେ ସୁଫଳ ମିଳିଥାଏ ।

Image

 

ତରଳ ଝାଡ଼ା ବା ଡାଇରିଆ

 

ଯେ କୌଣସି କାରଣରୁ ଅସ୍ୱାଭାବିକ ଭାବରେ ତରଳ କିମ୍ୱା ପାଣି ପରି ଝାଡ଼ା ହେଲେ ଏହାକୁ ଡାଇରିଆ କୁହନ୍ତି । ଆମ ରାଜ୍ୟର ଏହା ଏକ ସାଧାରଣ ରୋଗ । ସାଧାରଣତଃ ପିଲାମାନେ ଏହି ରୋଗଦ୍ୱାରା ବିଶେଷ ଭାବରେ ଆକ୍ରାନ୍ତ ହୋଇଥାନ୍ତି । ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଶିଶୁ ଏହି ରୋଗଦ୍ୱାରା ମୃତ୍ୟୁମୁଖରେ ପଡ଼ିଥାନ୍ତି । ଏହି ରୋଗ ସାଧାରଣତଃ ଦୂଷିତ ପାଣି, ଦୂଷିତ ଖାଦ୍ୟ, ବାସି ଖାଦ୍ୟ, ପଚାସଢ଼ା ଫଳମୂଳ, ମାଛି ବସିଥିବା ଖାଦ୍ୟ ପଦାର୍ଥ ଖାଇବା ଯୋଗୁଁ ସୃଷ୍ଟି ହୋଇଥାଏ । ଏତଦ୍‌ବ୍ୟତୀତ ଅପରିଷ୍କାର ହାତରେ ଖାଦ୍ୟପଦାର୍ଥ ଖାଇବା ଯୋଗୁଁ ରୋଗ ଜୀବାଣୁ ପେଟ ଭିତରକୁ ଯାଏ ଏବଂ କିଛିସମୟ ପରେ ତରଳ ଝାଡ଼ା ହେବାକୁ ଆରମ୍ଭ କରେ । ମା’ କ୍ଷୀର ପରିବର୍ତ୍ତେ ବଜାରରେ ମିଳୁଥିବା ଗୁଣ୍ଡ ଦୁଗ୍‌ଧ ବୋତଲରେ ପିଉଥିବା ଶିଶୁମାନଙ୍କ ତରଳ ଝାଡ଼ାର ଅନ୍ୟତମ କାରଣ । ଭଲ ଭାବରେ ପରିଷ୍କାର ହୋଇନଥିବା ବୋତଲ ଓ ରବର ନଳୀରେ ରୋଗ ଜୀବାଣୁ ଖୁବ୍‌ ଶୀଘ୍ର ବଂଶବୃଦ୍ଧି କରିପାରନ୍ତି ଏବଂ କ୍ଷୀର ସହିତ ଶିଶୁ ପେଟ ଭିତରକୁ ଯାଇ ରୋଗ ଜନ୍ମାନ୍ତି । ଏହାଛଡ଼ା ଘର ପାଖରେ କିମ୍ବା ପୋଖରୀ ହୁଡ଼ାରେ ଝାଡ଼ାଗଲେ ଏହା ପରିମଳ ଦୂଷିତ କରିବା ସଙ୍ଗେ ସଙ୍ଗେ ପାଣି ମଧ୍ୟ ଦୂଷିତ କରିଥାଏ । ଦୂଷିତ ପରିବେଶରେ ରୋଗ ଜୀବାଣୁ ସହଜରେ ବଢ଼ି ପାରନ୍ତ ଏବଂ ଖାଦ୍ୟ ତଥା ପାନୀୟ ମାଧ୍ୟମରେ ଦେହ ଭିତରକୁ ଯାଇ ରୋଗ ସୃଷ୍ଟି କରିଥାନ୍ତି ।

 

ଏହି ରୋଗ ଆରମ୍ଭରେ ରୋଗୀକୁ ଏକାଧିକ ଥର ପତଳା ଝାଡ଼ା ହୁଏ । ଏହି ଝାଡ଼ାରେ ପାଣିର ପରିମାଣ ଅଧିକ ଥାଏ । ଫଳରେ ଜଳ ସହିତ ଲବଣାଂଶ ମଧ୍ୟ ବାହାରିଯାଏ ଏବଂ କ୍ରମେ ଶରୀରରେ ଜଳଶୁଷ୍କତା ଅବସ୍ଥା ସୃଷ୍ଟି ହୁଏ । ବେଳେ ବେଳେ ଝାଡ଼ା ସହିତ ବାନ୍ତି ହୁଏ । ଦେହର ଉତ୍ତାପ ସାମାନ୍ୟ ବଢ଼ିଯାଏ । ଝାଡ଼ାରେ ଅଳ୍ପ ରକ୍ତ ମଧ୍ୟ ପଡ଼େ । ରୋଗୀ କ୍ରମଶଃ ଦୁର୍ବଳ ହୋଇପଡ଼େ । ପିଲାମାନଙ୍କୁ ପତଳା ଝାଡ଼ା ହେଲେ ଅଳ୍ପ ସମୟ ମଧ୍ୟରେ ପିଲା ନିସ୍ତେଜ ହୋଇଯାଏ । ସବୁବେଳେ ଶୋଇବାକୁ ଇଚ୍ଛା କରେ । ଆଖି ଶୁଖି ଭିତରକୁ ପଶିଯାଏ ଏବଂ ଆଖିରେ ଲୋତକ ଧାର ନଥାଏ । ଜିଭ ଶୁଖିଯାଏ । ବହୁତ ଶୋଷ ଲାଗେ । ଦେହ ହାତର ଚର୍ମ ଶୁଖି ସେଥିରେ ଭାଙ୍ଗ ପଡ଼ିଯାଏ । ପେଟ ଫାମ୍ପି ଯାଏ ପିଲାର ଅଳ୍ପ ପରିସ୍ରା ହୁଏ କିମ୍ୱା ଜମାରୁ ପରିସ୍ରା ହୁଏ ନାହିଁ । ଏହା ଏକ ସଂକଟଜନକ ଅବସ୍ଥା ଏବଂ ଆଶୁ ପ୍ରତିକାର କରା ନଗଲେ ରୋଗୀର ଅକାଳ ମୃତ୍ୟୁ ମଧ୍ୟ ଘଟିପାରେ ।

 

ଏହି ରୋଗର ପ୍ରଥମ ଚିକିତ୍ସା ହେଲା ଦେହରୁ ଯେତିକି ପରିମାଣରେ ପାଣି, ଝାଡ଼ା ସହିତ ବାହାରି ଯାଇଥାଏ, ସେତିକି କିମ୍ବା ତାଠାରୁ ଅଧିକ ପରିମାଣର ପାଣି ଦେହ ଭିତରକୁ ଯେପରି ଯାଏ, ସେଥିପ୍ରତି ଦୃଷ୍ଟି ଦେବା ଦରକାର । ତେଣୁ ଶିଶୁ ମା’ କ୍ଷୀର ପିଉଥିଲେ ତାହାର ଇଚ୍ଛାନୁଯାୟୀ କ୍ଷୀର ପିଇବାକୁ ଦେବା ଉଚିତ । ପାଣିକୁ ଫୁଟାଇ ଥଣ୍ଡା କରି ପିଇବାକୁ ଦେବା ଭଲ । ଲେମ୍ବୁ ପାଣି, ପଇଡ଼ପାଣି କିମ୍ବା ଚା ଫୁଟାପାଣି ୫ ମିନିଟରୁ ୧୦ ମିନିଟ ଅନ୍ତରରେ ପିଇବାକୁ ଦେବା ଉଚିତ । ଏହାଛଡ଼ା ଚାରି ଚାମୁଚ ଚିନି ଓ ଅଧ ଚାମୁଚେ ଗୁଣ୍ତ ଲୁଣକୁ ଅଧଲିଟର ବିଶୁଦ୍ଧ ପାଣିରେ ଭଲଭାବରେ ଗୋଳାଇ ରୋଗୀକୁ ଥରକୁ ଥର ପିଇବାକୁ ଦେବା ବିଧେୟ । ବର୍ତ୍ତମାନ ବଜାରରେ ମିଳୁଥିବା ଓ. ଆର୍. ଏସ୍ ଗୁଣ୍ଡ ପୁଡ଼ିଆ ଏକ ଲିଟର ବିଶୁଦ୍ଧ ପାଣିରେ ଚାମୁଚ ଦ୍ୱାରା ଗୋଳାଇବା ଉଚିତ । ଛୋଟ ଛୁଆ ଓ ବଡ଼ ପିଲାମାନଙ୍କୁ ୫ ରୁ ୧୦ ମିନିଟ ଅନ୍ତରରେ ୨ ରୁ ୪ ଚାମୁଚ ପାନୀୟ ଓ ବୟସ୍କମାନଙ୍କୁ ସେମାନଙ୍କ ଚାହିଦା ମୁତାବକ ପିଇବାକୁ ଦେବା ଉଚିତ । ଝାଡ଼ା ବନ୍ଦ ନ ହେଲେ କିମ୍ବା ରୋଗୀର ଅବସ୍ଥାରେ ଅବନତି ଦେଖାଗଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିବା ବିଧେୟ । ସାଧାରଣତଃ ଝାଡ଼ା କମିଯିବା ପରେ ପିଲା ଖାଇବାକୁ ଇଚ୍ଛା କରେ ନାହିଁ । ତେଣୁ ଏକ ସପ୍ତାହ ପର୍ଯ୍ୟନ୍ତ ଅଳ୍ପ ଲେଖାଏଁ ଥରକୁ ଥର ପୁଷ୍ଟିକର ଖାଦ୍ୟ ଖାଇବାକୁ ଦେବା ସ୍ୱାସ୍ଥ୍ୟ ପକ୍ଷରେ ହିତକର ।

 

ପ୍ରତିଷେଧକ ବ୍ୟବସ୍ଥା :

 

ହାତପମ୍ପ କିମ୍ୱା ନଳକୂପର ପାଣି ପିଇବା ପାଇଁ ସର୍ବୋତ୍କୃଷ୍ଟ । ତା ନ ହେଲେ ପାଣିକୁ ଭଲ ଭାବରେ ଫୁଟାଇ ଥଣ୍ଡା କରି ପରିଷ୍କାର ପାତ୍ରରେ ଘୋଡ଼ାଇ ରଖି ପିଇବା ଉଚିତ । ପନିପରିବା ଓ ଫଳମୂଳକୁ ଭଲ ଭାବରେ ପାଣିରେ ଧୋଇବା ଉଚିତ । ସର୍ବଦା ଗରମ ତଟକା ଖାଦ୍ୟପଦାର୍ଥ ଖାଇବା ଭଲ । ଖାଦ୍ୟପଦାର୍ଥ ଉପରେ ମାଛି ଯେପରି ବସି ନ ପାରନ୍ତି ସେଥିପାଇଁ ସବୁବେଳେ ଘୋଡ଼ାଇ ରଖିବା ଉଚିତ । ଖାଇବା କିମ୍ବା ରୋଷାଇ କରିବା ପୂର୍ବରୁ ହାତକୁ ଭଲ ଭାବରେ ସାବୁନ ଓ ପାଣି ଦ୍ୱାରା ଧୋଇବା ଉଚିତ । ଝାଡ଼ା ଆସିବା ପରେ ମଧ୍ୟ ହାତକୁ ଭଲ ଭାବରେ ସଫା କରିବା ଆବଶ୍ୟକ । ଶିଶୁ ବ୍ୟବହାର କରୁଥବା କ୍ଷୀର ବୋତଲ, କପ୍‌, ଚାମୁଚ ଓ ଗ୍ଳାସ୍‍କୁ ନିୟମିତ ଭାବରେ ଧୋଇ ଗରମ ପାଣିରେ ଫୁଟାଇ ରଖିବ ଉଚିତ । ପାଇଖାନାରେ ଝାଡ଼ା ଫେରିବା ସର୍ବଦା ବାଞ୍ଛନୀୟ । ପାଇଖାନାରେ ସୁବଧା ନଥିଲେ ଘର ପାଖରୁ ତଥା ପିଇବା ପାଣି ଥିବା ସ୍ଥାନର ବହୁତ ଦୂରରେ ଝାଡ଼ା ଫେରିସାରି ତାହାକୁ ମାଟି ଦ୍ୱାରା ଘୋଡ଼ାଇ ଦେବା ଉଚିତ ଯେପରି ସେଥିରେ ମାଛି ବସି ନ ପାରନ୍ତି । ଖୋଲାପଡ଼ିଆ ନ ଥିଲେ ଗୋଟିଏ ବଡ଼ ଗାତ ଖୋଳି ସେହି ଗାତରେ ଝାଡ଼ା ଫେରି ତାହାକୁ ପରେ ଅଳିଆ ଇତ୍ୟାଦି ପୂରାଇ ପୋଡ଼ି ଦେବା ଉଚିତ ।

Image

 

ପାଳିଜ୍ୱର

 

ଏହା ଏକ ସଂକ୍ରାମକ ରୋଗ । ପାଳିକରି ଦିନେ ଛଡ଼ା ଦିନେ ବା ପ୍ରତିଦିନ ଏହି ଜ୍ୱର ହେଉଥିବାରୁ ଏହାକୁ ପାଳିଜ୍ୱର କୁହାଯାଏ । ପୃଥିବୀର ଅଧିକାଂଶ ଦେଶରେ ଏହି ରୋଗ ଦେଖା ଯାଉଥିଲେ ମଧ୍ୟ ଭାରତ ପାକିସ୍ଥାନ ଓ ଶ୍ରୀଲଙ୍କାରେ ଏହା ବିଶେଷ ଭାବରେ ଦେଖାଯାଏ ।

 

ଏହି ରୋଗ ସାଧାରଣତଃ ୪ ପ୍ରକାରର ମ୍ୟାଲେରିଆ କୀଟାଣୁ ଦ୍ୱାରା ହୋଇଥାଏ ଏବଂ ମାଇ ଆନୋଫିଲିସ୍ ମଶା ଦ୍ଵାରା କୀଟାଣୁଗୁଡ଼ିକ ରୋଗୀଠାରୁ ସୁସ୍ଥଲୋକ ରକ୍ତକୁ ଯାଆନ୍ତି । ପ୍ରଥମେ ଏହା ସୁସ୍ଥଲୋକର ରକ୍ତରୁ ଯାଇ ଯକୃତରେ ପହଞ୍ଚି ସେଠାରେ ୬ ଦିନରୁ ୮ ଦିନ ଭିତରେ ବଢ଼ି ପୁଣି ରକ୍ତ ସଞ୍ଚାଳନ ମଧ୍ୟକୁ ଆସି ରକ୍ତ କଣିକା ଭିତରକୁ ଯାଆନ୍ତି । ରକ୍ତକଣିକା ଭିତରେ ବୃଦ୍ଧି ପାଇ ଏମାନେ ମାଈ ଓ ଅଣ୍ଡିରା କୀଟାଣୁରେ ବିଭକ୍ତ ହୋଇଥାନ୍ତି । ମାଈମଶା ରୋଗୀକୁ କାମୁଡ଼ିଲା ବେଳେ ଯେଉଁ ରକ୍ତଶୋଷି ଥାଆନ୍ତି ସେଥିରେ ଉଭୟ ମାଈ ଓ ଅଣ୍ଡିରା କୀଟାଣୁ ଥାଆନ୍ତି । ମଶା ପେଟଭିତରେ ଏମାନେ ରକ୍ତକଣିକା ଭିତରୁ ବାହାରି ବଂଶ ବୃଦ୍ଧି କରିଥାଆନ୍ତି । ମଶା ପେଟ ଭିତରୁ ବାହାରକୁ ଆସି କେତେକ ମଶାର ମୁହଁ ପାଖରେ ଆସି ପହଞ୍ଚନ୍ତି । ଯେତେବେଳେ ଏହି ମଶା ସୁସ୍ଥ ଲୋକକୁ କାମୁଡ଼େ, ଏ ନୂଆ କୀଟାଣୁମାନେ ମନୁଷ୍ୟ ରକ୍ତ ମଧ୍ୟକୁ ଆସି ରୋଗ ସୃଷ୍ଟି କରିଥାନ୍ତି । ଏହି ରୋଗ ଯେ କୌଣସି ବୟସର ଲୋକମାନଙ୍କୁ ଆକ୍ରମଣ କରୁଥିଲେ ହେଁ, ଶିଶୁମାନଙ୍କ ପାଖରେ ଏହା ପ୍ରାୟ ଦେଖାଯାଏ ନାହିଁ । ଏହି ରୋଗର କୀଟାଣୁ ଦୀର୍ଘ ୩୦ ବର୍ଷ ପର୍ଯ୍ୟନ୍ତ ଦେହ ଭିତରେ ରହିଥାଏ । ଯେତେବେଳେ ରୋଗୀ ଥରକୁ ଥର ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇଥାଏ । ଏହି ରୋଗ ବର୍ଷର ସବୁ ସମୟରେ ଦେଖାଯାଉଥିଲେ ମଧ୍ୟ ଜୁଲାଇ ଓ ନଭେମ୍ବର ମାସରେ । ଏହାର ପ୍ରାର୍ଦୁଭାବ ଅଧିକ ।

 

ଏହି ରୋଗର ପ୍ରଧାନ ଲକ୍ଷଣ ହେଲା ଭୟଙ୍କର ଜ୍ୱର, ଶୀତ ଓ କମ୍ପ । ଏହି ଜ୍ୱର ସାଧାରତଃ ଦିନେ ଛଡ଼ା ଦିନେ, ଦୁଇଦିନ ଛଡ଼ା ଦିନେ କିମ୍ବା ପ୍ରତିଦନ ପାଳିକରି ହୋଇଥାଏ । ଜ୍ୱର ହେବା ସଙ୍ଗେ ସଙ୍ଗେ ବାନ୍ତି, ମୁଣ୍ଡବ୍ୟଥା ପ୍ରଭୃତି ଦେଖାଯାଏ ଏବଂ ଦେହରୁ ଗୁଡ଼ାଏ ଝାଳ ବାହାରି ଜ୍ୱରର ଉତ୍ତାପ କମିଯାଏ ଏବଂ ରୋଗୀ ସ୍ୱାଭାବିକ ଅବସ୍ଥାକୁ ଫେରିଆସେ । ଏହି ରୋଗର କୀଟାଣୁ ମସ୍ତିଷ୍କକୁ ଆକ୍ରମଣ କଲେ ରୋଗୀ ଅଚେତ ହୋଇପଡ଼େ ଏବଂ ସମୟ ସମୟରେ ମୃତ୍ୟୁବରଣ ମଧ୍ୟ କରିଥାଏ । ବାରମ୍ବାର ପାଳିଜ୍ୱରରେ ଆକ୍ରାନ୍ତ ହେଲେ ପ୍ଳିହା ବଢ଼ିଯାଏ, ରକ୍ତହୀନତା ଘଟେ ଏବଂ ରୋଗୀ ବହୁତ ଦୁର୍ବଳ ହୋଇଯାଏ । ଜ୍ଵର ଥିଲାବେଳେ ରୋଗୀର ଦେହ ଓ ମୁଣ୍ଡକୁ ଥଣ୍ଡା ପାଣିରେ ଭଲଭାବରେ ଧୋଇ ପୋଛି ଦେବା ଦରକାର । ରୋଗୀକୁ ପାଣି, ଲେମ୍ବୁରସ, କ୍ଷୀର ଓ ବାର୍ଲି ପ୍ରଭୃତି ପିଇବାକୁ ଦେବା ଦରକାର । ଜ୍ୱର ପୂରାପୂରି ଭଲ ହୋଇଯିବା ପରେ ଭାତ ଓ ଦରକାରୀ ଦେବା ଉଚିତ ।

 

ପ୍ରତିଷେଧକ ବ୍ୟବସ୍ଥା :

 

ମଶା ଏହି ରୋଗର ପ୍ରଧାନ କାରଣ ହୋଇଥିବାରୁ ଶୋଇବା ସମୟରେ ମଶାରି ଟାଙ୍ଗି ଶୋଇବା ଉଚିତ । ଘର ଚାରିପାଖରେ ଥିବା ଛୋଟ ଛୋଟ ବୁଦା, ଭଙ୍ଗା ହାଣ୍ଡି ଓ ମାଠିଆ ଇତ୍ୟାଦି ସଫା କରିଦେଲେ ସେଥିରେ ଜମିଥିବା ପାଣିରେ ମଶା ଡିମ୍ୱ ଦେଇ ବଂଶବୃଦ୍ଧି କରିପାରନ୍ତି ନାହିଁ । ଘର ଭିତରେ, ଅଳିଆ ଗଦା, ଗୋବର ଖାତ, ଗାଡ଼ିଆ ଓ ନର୍ଦ୍ଦମାମାନଙ୍କରେ କୀଟାଣୁନାଶକ ଡି.ଡି.ଟି ନିୟମିତ ପକାଇବା ଦ୍ୱାରା, ମଶା ବଂଶ ଲୋପ ପାଇଥାଏ । କୌଣସି ଅଞ୍ଚଳରେ ବହୁତ ଲୋକ ଏକସମୟରେ ଏ ରୋଗଦ୍ୱାରା ଆକ୍ରାନ୍ତ ହେବାର ଦେଖାଗଲେ ସେଠାରେ ବସବାସ କରୁଥିବା ଲୋକମାନଙ୍କର ରକ୍ତ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଦରକାର । ଆମ ଦେଶରେ ମ୍ୟାଲେରିଆ ରୋଗ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ମୃତ୍ୟୁହାର ଅଧିକ ହେବାର ଜାତୀୟ ମ୍ୟାଲେରିଆ ନିରାକରଣ ଯୋଜନା ମାଧ୍ୟମରେ ବିନା ପଇସାରେ ପ୍ରତ୍ୟେକ ଘରେ ବର୍ଷକୁ ୨ଥର କରି ଡି.ଡି.ଟି. ପକାଇବ ଏବଂ ଉପଯୁକ୍ତ ଔଷଧ ଦେବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ନାଳନର୍ଦ୍ଦମାର ଅବ୍ୟବସ୍ଥା; ଜନସଂଖ୍ୟା ବୃଦ୍ଧି ତଥା ଜନସାଧାରଣଙ୍କ ସହଯୋଗ ଅଭାବରୁ ଏହି ରୋଗ ପ୍ରତ୍ୟେକ ଅଞ୍ଚଳରେ ଉଣା ଅଧିକେ ଦେଖାଯାଉଛି ।

Image

 

ବାତଜ୍ୱର

 

ଏହି ଜ୍ୱର ଏକ ସୂକ୍ଷ୍ମ କୀଟାଣୁଦ୍ୱାରା ଜାତ ହୁଏ । ଏହା ଭାରତବର୍ଷର ସମୁଦ୍ରପାଖ ଉପକୂଳ ଅଞ୍ଚଳ-ମାନଙ୍କରେ ବିଶେଷ ଭାବେ ଦେଖାଯାଏ । ଆମ ରାଜ୍ୟର ବାଲେଶ୍ୱର, କଟକ ଓ ପୁରୀ ଜିଲ୍ଲାର ଲୋକମାନେ ଏହି ରୋଗଦ୍ଵାରା ବହୁଳ ଭାବରେ ଆକ୍ରାନ୍ତ ହୋଇଥାନ୍ତି । ଏହା ୨ବର୍ଷରୁ ପିଲାଠୁ ଆରମ୍ଭ କରି ୬୦ବର୍ଷ ବୟସର ଲୋକଙ୍କୁ ଆକ୍ରମଣ କରିଥିଲେ ହେଁ ୨୦ ବର୍ଷରୁ ୩୦ ବର୍ଷ ବୟସର ରୋଗୀଙ୍କ ସଂଖ୍ୟା ଅଧିକ ।

 

ମାଈ କ୍ୟୁଲେକ୍‌ସ ମଶା ରୋଗୀକୁ କାମୁଡ଼ି ରକ୍ତ ଶୋଷିଲା ବେଳେ ରକ୍ତ ସଙ୍ଗେ ଛୋଟ ଛୋଟ କୀଟାଣୁମାନଙ୍କୁ ମଧ୍ୟ ଶୋଷିନିଏ । ମଶାଙ୍କ ପେଟ ଭିତରେ ଏହି କୀଟାଣୁଗୁଡ଼ିକ ବଢ଼ି ରୋଗ ଜନ୍ମାଇବାର ଶକ୍ତି ଲାଭ କରନ୍ତି । ଏ କୀଟାଣୁପୂର୍ଣ୍ଣ ମାଈ ମଶା ଯେତେବେଳେ ସୁସ୍ଥ ଲୋକକୁ କାମୁଡ଼େ, ଏହି କୀଟାଣୁମାନେ ସୁସ୍ଥ ଲୋକଙ୍କ ରକ୍ତ ଭିତରକୁ ପ୍ରବେଶ କରନ୍ତି । ପରେ ସେମାନେ ଦେହ ଭିତରେ ଥିବା ଲାସିକାନଳୀ ଓ ଗ୍ରନ୍ଥିମଧ୍ୟକୁ ପ୍ରବେଶ କରି ସେଠାରେ ବଂଶ ବୃଦ୍ଧି କରନ୍ତି । ସମୟ ସମୟରେ ଛୁଆ କୀଟାଣୁମାନେ ରକ୍ତ ସଞ୍ଚାଳନରେ ଘୂରିବୁଲନ୍ତି ଏବଂ ରାତିରେ ଶୋଇଥିଲା ବେଳେ ରକ୍ତ ପରୀକ୍ଷା କଲେ ଏହା ଜଣାପଡ଼ିଥାଏ । ଦେହ ଭିତରେ ଏହି ଜୀବାଣୁ ଅନେକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହନ୍ତି ।

 

ଏହି ରୋଗ ବିଶେଷ ଭୟଙ୍କର ନ ହେଲେ ମଧ୍ୟ ରୋଗୀକୁ ସାମୟିକ ଜ୍ୱର ହୁଏ ଏବଂ ଏହି ଜ୍ୱର ଅମାବାସ୍ୟା ଓ ପୂର୍ଣ୍ଣିମା ତିଥି ପାଖାପାଖି ଦିନ ମାନଙ୍କରେ ପ୍ରାୟ ଦେଖାଯାଏ । ଜ୍ୱର ହେବା ସଙ୍ଗେ ସଙ୍ଗେ ମୁଣ୍ଡ ବଥାଏ, ଗୋଡ଼ହାତ ଘୋଳାବିନ୍ଧା ହୁଏ ଏବଂ ଦୁଇ ଚାରିଦିନ ମଧ୍ୟରେ ଜ୍ଵର ଭଲ ହୋଇଯାଏ । ରୋଗୀକୁ ଏହିପରି ମାସେ କିମ୍ୱା ଦୁଇମାସ ବ୍ୟବଧାନରେ ଜ୍ୱର ହୁଏ । ଏହି ଜ୍ୱର ପାଞ୍ଚ ଦଶଥର ହେବା ପରେ ଲାସିକା ନଳୀ ଓ ଗ୍ରନ୍ଥି ଗୁଡ଼ିକ ଫୁଲି ଦରଜ ହୁଏ । ଗୋଡ଼ ହାତ ଫୁଲିଯାଏ । ଏହି ଜ୍ୱର କ୍ରମାଗତ ବର୍ଷେ କିମ୍ବା ଦୁଇବର୍ଷ ହେଲେ ଗୋଡ଼ କିମ୍ୱା ହାତରେ ଚର୍ମ ଓ ଚର୍ମତନ୍ତୁର ବୃଦ୍ଧି ହୋଇ ମୋଟା ଦେଖାଯାଏ । ଏବଂ ଶାରୀରିକ କାର୍ଯ୍ୟ କରିବାକୁ ସେ ଅକ୍ଷମ ହୁଏ । ଫଳରେ ରୋଗୀ ସମାଜରେ ନିଜକୁ ଅସହାୟ ମନେକରେ ଏବଂ ଅନ୍ୟମାନଙ୍କ ସହିତ ମିଳାମିଶା କରିବାକୁ ଇଚ୍ଛା କରେ ନାହଁ ।

 

କୌଣସି ଲୋକକୁ ଏହ ପାଳିଜ୍ୱର ହେବାର ଅନୁମାନ ହେଲେ ତାହାକୁ ଗୋଟିଏ ଅଲଗା ଘରେ ମଶାରି ବାନ୍ଧି ଶୁଆଇବା ଉଚିତ । ଜ୍ୱର କମିବା ପାଇଁ ମୁଣ୍ଡ ଓ ଦେହ ହାତ ଥଣ୍ଡା ପାଣିରେ ଭଲକରି ଧୋଇ ପୋଛିଦେବା ଦରକାର । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏକବର୍ଷରୁ ଦୁଇବର୍ଷ ପର୍ଯ୍ୟନ୍ତ କିଛିମାସ ବ୍ୟବଧାନରେ ଏହି ରୋଗର ଔଷଧ ଖାଇଲେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବାର ସମ୍ଭାବନା ଅଧିକ ଥାଏ । ନଚେତ୍ ଏହି ଜର ବର୍ଷର ସମୟ ସମୟରେ ଅନିୟମିତ ଭାବରେ ହେବା ସଙ୍ଗେ ସଙ୍ଗେ ଗୋଡ଼ ହାତ ଫୁଲି ଏପରି ମୋଟା ହୋଇଯାଏ ଯେ ତାହା ହାତୀର ଗୋଡ଼ ଭଳି ଦେଖାଯାଏ । ବେଳେବେଳେ ପରିସ୍ରା ଧଳାରଙ୍ଗ ଦେଖାଯିବା ସଙ୍ଗେ ସଙ୍ଗେ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଏ ।

 

ପ୍ରତିଷେଧକ ବ୍ୟବସ୍ଥା :

 

ମଶା ଏହି ରୋଗର ପ୍ରଧାନ କାରଣ ହୋଇଥିବାରୁ ମଶା କାମୁଡ଼ାରୁ ରକ୍ଷା ପାଇବା ପାଇଁ ମଶାରି ବ୍ୟବହାର କରିବା ଉଚିତ । ରୋଗୀ ଶୋଇବା ଘରେ ଅନ୍ୟ କେହି ଶୋଇବା ଉଚିତ ନୁହେଁ । ଘର ପାଖରେ ଥିବା ଅଳିଆଗଦା, ନର୍ଦ୍ଦମା, ନାଳ, ଅପରିଷ୍କାର ପୋଖରୀ ଇତ୍ୟାଦି ସଫା କରି କୀଟାଣୁ ନାଶକ ଔଷଧ ଡି.ଡି.ଟି ପକାଇବା ଦ୍ୱାରା ମଶା ତଥା ଅଣ୍ଡାଗୁଡ଼ିକ ସହଜରେ ନଷ୍ଟ ହୋଇଥାନ୍ତି । ଘରର ଝରକା କବାଟ ବନ୍ଦକରି ସନ୍ଧ୍ୟାବେଳେ ନିୟମିତ ଝୁଣା ଧୂଆଁଦେଲେ ମଶାଦାଉରୁ ମଧ୍ୟ ରକ୍ଷା ମିଳିଥାଏ । ବର୍ତ୍ତମାନ ଆମ ଦେଶରେ ଜାତୀୟ ଫାଇଲେରିଆ ନିରାକରଣ ଯୋଜନା ପ୍ରସ୍ତୁତ କରାଯାଇ ମଶା ମାରିବା ପାଇଁ ପ୍ରତି ସପ୍ତାହରେ ନାଳ ନର୍ଦ୍ଦମାରେ ତେଲ ପକାଯିବାର ବନ୍ଦୋବସ୍ତ କରାଯିବା ସଙ୍ଗେସଙ୍ଗେ ଲୋକଙ୍କୁ ରକ୍ତ ପରୀକ୍ଷା କରାଯାଇ ବିନା ପଇସାରେ ଔଷଧ ଯୋଗାଇ ଦିଆଯାଉଛି । ମାତ୍ର ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଉପଯୁକ୍ତ ବାସଗୃହର ଅଭାବ, ନାଳନର୍ଦ୍ଦମାର ଅବ୍ୟବସ୍ଥା, ମଶାରିର ଅଭାବ ଏହି ରୋଗ ନିରାକରଣରେ ବାଧା ସୃଷ୍ଟି କରିବା ଯୋଗୁଁ ବହୁତ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ।

Image

 

ଅଙ୍କୁଶ କୃମି ବା ହୁକ ଓ୍ୱାର୍ମ

 

ଏହି କୃମି ଦେଖିବାକୁ ଅଙ୍କୁଶ ପରି । ଏହାର ମୁହଁଟି ବଙ୍କା ଓ ଏଥିରେ ଚାରୋଟି ଦାନ୍ତ ଥାଏ । ଏହି କୃମିର ଛୁଆଗୁଡ଼ିକ ଖାଲି ପାଦରେ ଯିବା ଆସିବା କରୁଥିବା ଲୋକମାନଙ୍କର ପାଦ ବାଟ ଦେଇ ଦେହ ଭିତରକୁ ପ୍ରବେଶ କରି ରକ୍ତ ସଞ୍ଚାଳନ ଦ୍ୱାର, ଫୁସ୍‌ଫୁସ୍‌କୁ ଯାଆନ୍ତୁ । ଫୁସ୍‌ଫୁସ୍‍ରୁ ବାୟୁନଳୀ ଭିତରକୁ ଆସି ଖଙ୍କାରବାଟେ ଶ୍ୱାସନଳୀ ମାଧ୍ୟମରେ ଉପରକୁ ଉଠି ତଣ୍ଟି ପାଖରେ ପହଞ୍ଚନ୍ତି । ପରେ ଖାଦ୍ୟ ସହିତ ମିଶି ଖାଦ୍ୟନଳୀ ଭିତରକୁ ପ୍ରବେଶ କରି ଅନ୍ତନଳୀର ଉପରି ଭାଗରେ ରହନ୍ତି । ଏଠାରେ ସେମାନେ ବଡ଼ ହୋଇ ଅନ୍ତନଳୀକୁ ମୁହଁରେ ଥିବା ଦାନ୍ତଦ୍ୱାରା କାମୁଡ଼ି ଧରି ରହିଥାନ୍ତି ଏବଂ ରକ୍ତ ଶୋଷି ବଞ୍ଚନ୍ତି । ଏହି କୃମି ରୋଗ ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ଲୋକମାନଙ୍କ ପାଖରେ ମଧ୍ୟ ଦେଖାଯାଏ ।

 

ଅଙ୍କୁଶ କୃମି ବଡ଼ ହେଲାପରେ ଅନ୍ତନଳୀରେ ରହି ଡିମ୍ବ ଦିଏ । ଡିମ୍ୱଗୁଡ଼ିକ ରୋଗୀର ଝାଡ଼ାରେ ବାହାରକୁ ଆସେ । ରୋଗୀର ଝାଡ଼ା ପଡ଼ିଆରେ ପଡ଼ି ରହିଥିବା ବେଳେ ଡିମ୍ବଗୁଡ଼ିକ ଛୁଆରେ ପରିଣତ ହୁଏ । ଏହି ସବୁ ସ୍ଥାନମାନଙ୍କରେ ଖାଲିପାଦରେ ଚଲାବୁଲା କରିବା ବେଳେ ଛୁଆଗୁଡ଼ିକ ପାଦର ଚର୍ମ ଫୁଟାଇ ରକ୍ତ ମଧ୍ୟକୁ ପ୍ରବେଶ କରିଥାନ୍ତି । ବେଳେବେଳେ ଏହି ଛୁଆ ଗୁଡ଼ିକ ପିଇବା ପାଣି ସହିତ ମିଶି ସହଜରେ ପେଟ ଭିତରକୁ ଯାଇପାରନ୍ତି ।

 

ଏହି ରୋଗର ପ୍ରଧାନ ଲକ୍ଷଣ ହେଲା ରକ୍ତହୀନତା ଓ ଦୁର୍ବଳତା । କୃମିଗୁଡ଼ିକ ଅନ୍ତନଳୀରୁ ରକ୍ତଶୋଷି ଖାଉଥିବା ଫଳରେ ଝାଡ଼ା ସହିତ ରକ୍ତ ମିଶିଥିବାରୁ ଏହାର ରଙ୍ଗ ବେଳେବେଳେ ପିଚୁପରି କଳା ହୋଇଥାଏ । ଏହା ବ୍ୟତୀତ ପେଟ କାମୁଡ଼ିବା, ଖାଦ୍ୟ ପଦାର୍ଥ ହଜମ ନ ହେବା, ଭୋକ ନ ଲାଗିବା ଏବଂ ସମୟ ସମୟରେ ତରଳ ଝାଡ଼ା ହେବା ଇତ୍ୟାଦି ରୋଗୀଠାରେ ଦେଖାଯାଏ । ରକ୍ତହୀନତା ଫଳରେ ଦେହର ରଙ୍ଗ ଶ୍ଵେତ ଦେଖାଯାଏ ଏବଂ ମୁହଁ ଓ ଗୋଡ଼ ଫୁଲିଯାଏ । ରୋଗୀ ବହୁତ ଦୁର୍ବଳ ହୋଇଯାଏ ଏବଂ ଅଳ୍ପକିଛି କାମ କଲାପରେ ବହୁତ ହାଲିଆ ହୋଇପଡ଼େ । ଅଣନିଶ୍ୱାସୀ ଲାଗିବା ସଙ୍ଗେ ସଙ୍ଗେ ହୃତପିଣ୍ଡର ଗତି ମଧ୍ୟ ବଢ଼ିଯାଏ।

 

ପ୍ରତିଷେଧକ ବ୍ୟବସ୍ଥା :

 

ଖୋଲା ପଡ଼ିଆ ବା ବିଲରେ ଝାଡ଼ା ଫେରିବା ଉଚିତ ନୁହେଁ । ସାଧାରଣ ଲୋକେ ଝାଡ଼ା ଫେରୁଥିବା ପଡ଼ିଆକୁ ଖାଲି ପାଦରେ ନ ଯାଇ ପାଦକୁ ଘୋଡ଼ାଇ ରଖୁଥିବା ଭଳି ଜୋତାମାଡ଼ି ଯିବା ଉଚିତ । ଆଜିକାଲି ବଜାରରେ ମିଳୁଥିବା ରବର ପ୍ଲାଷ୍ଟିକ ବା ସ୍ପଞ୍ଜ ଚପଲ ବିଶେଷ ଉପକାର ନୁହେଁ-। କାରଣ ଏହା ଭିତରେ ବାଲି ସହଜରେ ପଶିଯାଏ ଏବଂ ପାଦତଳ ଚର୍ମକୁ କଣାକରି କୃମି ପୋକର ଛୁଆଗୁଡ଼ିକ ଦେହ ଭିତରକୁ ପଶି ପାରନ୍ତି । ସବୁବେଳେ ପାଇଖାନାକୁ ଜୋତା ପିନ୍ଧି ଝାଡ଼ା ଯିବା ଉଚିତ । ଗାଁମାନଙ୍କରେ ପାଇଖାନା ତିଆରି କରିବାର ସୁବିଧା ନ ଥିଲେ ଘରଠାରୁ ଦୂରରେ ଗୋଟିଏ ଗାତଖୋଳି ସେଥିରେ ପରିବାରର ସମସ୍ତେ ଝାଡ଼ା ଯିବା ଉଚିତ । ଏହି ଗାତ ପୂର୍ଣ୍ଣ ହୋଇଗଲେ ଅଳିଆ ଓ ମାଟିଦ୍ୱାରା ଏହାକୁ ବନ୍ଦ କରି ଅନ୍ୟ ଏକ ଗାତ ଖୋଳିବା ଦରକାର-। ପରେ ଏହାକୁ ଖତ ରୂପେ ବିଲବାଡ଼ିରେ ମଧ୍ୟ ବ୍ୟବହାର କରାଯାଇପାରେ । ନଳକୂପର ପାଣି ପିଇବା ପାଇଁ ସର୍ବୋକୃଷ୍ଟ । ନଳକୂପ ଅଭାବରୁ ପାଣିକୁ ଫୁଟାଇ ଥଣ୍ଡାକରି ପିଇବା ଉଚିତ-। ଏହାଛଡ଼ା ପାଦରେ ପ୍ରତ୍ୟେକ ଦିନ ତେଲ ଲଗାଇଲେ ଏହି କୃମିର ଛୁଆଗୁଡ଼ିକ ପାଦରେ ଚଢ଼ି ପାରନ୍ତି ନାହିଁ । ବାହାରୁ ବୁଲାବୁଲି କରି ଆସିଲା ପରେ ଗରମ ପାଣିରେ ଗୋଡ଼ ଧୋଇଲେ କୃମିର ଛୁଆଗୁଡ଼ିକ ମଧ୍ୟ ମରିଯାନ୍ତି । ଏହି ରୋଗର ଲକ୍ଷଣ ଦେଖାଯିବା ମାତ୍ରେ ଝାଡ଼ା ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଦରକାର । ଔଷଧ ଖାଇବାର ୧୫ଦିନ ପରେ ଆଉଥରେ ଝାଡ଼ା ପରୀକ୍ଷା କରି ଡିମ୍ବ ଥିଲେ ଔଷଧ ଖାଇବା ଭଲ । ଏହା ଛଡ଼ା ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ଏହି ରୋଗକୁ କେତେକାଂଶରେ କମାଇ ପାରିଥାଏ ।

Image

 

ଜିଆ ବା କେଞ୍ଚୁଆ

 

ଏହି କୃମି ଦେଖିବାକୁ ଅବିକଳ ମାଟି ଭିତରେ ଥିବା ଜିଆ ପରି । ମାତ୍ର ଏହା ଟିକିଏ ବେଶୀ ମୋଟା, ଲମ୍ବ ଓ ଶ୍ୱେତରଙ୍ଗବିଶିଷ୍ଟ । ଏମାନେ ସାଧାରଣତଃ ଅନ୍ତ୍ରନଳୀର ଉପରି ଭାଗରେ ରହିଥାନ୍ତି । କିନ୍ତୁ ବେଳେବେଳେ ପାକସ୍ଥଳୀ ଭିତରକୁ ଆସି ବାନ୍ତି ମାଧ୍ୟମରେ ପାଟିବାଟେ ପଦାକୁ ଆସନ୍ତି । ସମୟ ସମୟରେ ପାଟିବାଟେ ନ ବାହାରି ଶ୍ଵାସନଳୀ ମଧ୍ୟ ଦେଇ ନାକ ଭିତରରୁ ଆସି ବହୁତ କଷ୍ଟ ଦିଅନ୍ତି । ଛୋଟ ପିଲାଙ୍କ ନାକ କିମ୍ବା ଗଳା ନଳୀରେ ପଶିଗଲେ ନିଶ୍ୱାସ ବନ୍ଦହୋଇ ପିଲାର ପ୍ରାଣ ପର୍ଯ୍ୟନ୍ତ ଯିବାର ସମ୍ଭାବନା ଥାଏ । ଅନ୍ତନଳୀ ମଧ୍ୟରେ ଥିବାବେଳେ କୃମିଗୁଡ଼ିକ ଡିମ୍ୱ ଦେଇ ବଂଶ ବୃଦ୍ଧି କରିଥାଆନ୍ତି ।

 

ଡିମ୍ୱଗୁଡ଼ିକ ଝାଡ଼ା ସହିତ ମିଶି ପଦାକୁ ବାହାରି ଆସିଲା ପରେ ଯଦି କୌଣସି ଉପାୟରେ ପାଣି ସହିତ ମିଶିଯାଏ ଏବଂ ଏହି ଦୂଷିତ ପାଣି ଯଦି ସୁସ୍ଥ ଲୋକ ପିଅନ୍ତି ତେବେ ସେମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହା ଛଡ଼ା ରୋଗୀ ବିଲବାଡ଼ିରେ ଝାଡ଼ା ଫେରିଲେ ସେହି ଡିମ୍ୱଗୁଡ଼ିକ ମାଟିରେ ମିଶି ରହିଥାଆନ୍ତି । ପରେ ସେହି ସ୍ଥାନରେ ହେଉଥିବା ଫଳମୂଳ ଯଥା ମୂଳା, କାକୁଡ଼ି ଓ ବିଲାତି ବାଇଗଣ ଇତ୍ୟାଦି ଭଲ ଭାବରେ ନ ଧୋଇ କଞ୍ଚା ଖାଇଲେ ଏହି ରୋଗ ହେବାର ସମ୍ଭାବନା ଥାଏ । ଏହି କୃମି ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଯେ କୌଣସି ବୟସର ଲୋକମାନଙ୍କୁ ଆକ୍ରମଣ କରିଥାଏ ।

 

ପ୍ରଥମରେ ଏହି ରୋଗ ଦ୍ୱାରା ସ୍ଵାସ୍ଥ୍ୟର ବିଶେଷ କିଛି ଅସୁବିଧା ଜଣାପଡ଼େ ନାହିଁ । ଅନ୍ତନଳୀରେ ଏହି ଜିଆଗୁଡ଼ିକ ବଂଶ ବୃଦ୍ଧି କଲାପରେ ପତଳା ଝାଡ଼ା ଓ ବାନ୍ତି ଇତ୍ୟାଦି ଲକ୍ଷଣ ଦେଖାଯାଏ । ସମୟ ସମୟରେ ପେଟ ବହୁତ ବଥା ହୁଏ । ଫାମ୍ପି ଯାଏ, କିଛି ଖାଇବାକୁ ଇଚ୍ଛା ହୁଏ ନାହିଁ । ଏହି ସମୟରେ ଜିଆ, ଝାଡ଼ା ତଥା ବାନ୍ତିଦ୍ୱାରା ପଦାକୁ ବାହାରି ଆସେ । ପିଲାମାନଙ୍କୁ ଏହି ରୋଗ ଆକ୍ରାନ୍ତ କଲେ ରାତିରେ ଶୋଇ ଥିଲାବେଳେ ଦାନ୍ତ ରଗଡ଼େ ଓ ବିଳିବିଳାଏ । ନାକର ଅଗ୍ରଭାଗ କୁଣ୍ଡାଇ ହୁଏ । ଭଲ ଭାବରେ ଭୋକ ନ ଲାଗିବା ସଙ୍ଗେ ସଙ୍ଗେ ପିଲା ମାଟି, ପାଉଁଶ, ଚକ୍‌ଖଡ଼ି ଇତ୍ୟାଦି ଅଖାଦ୍ୟ ଖାଇବାକୁ ଭଲପାଏ । ଗୋଡ଼ହାତ ପତଳା ହୋଇ ପେଟ ବାହାରକୁ ବାହାରି ପଡ଼େ । ବେଳେବେଳେ ଛୋଟ ପିଲାଙ୍କୁ ଏହି କୃମି ସକାଶେ ପିହୁଳା ମଧ୍ୟ ମାରେ ।

 

ପ୍ରତିଷେଧକ ବ୍ୟବସ୍ଥା :

 

ସର୍ବଦା ଥଣ୍ଡ ଫୁଟା ପାଣି କିମ୍ୱା ନଳକୂପର ପାଣି ପିଇବା ଉଚିତ । କଞ୍ଚା ପନିପରିବା ଓ ଫଳମୂଳକୁ ଗରମ ପାଣିରେ ଭଲ ଭାବରେ ଧୋଇ ଖାଇବା ଉଚିତ । ବିଲବାଡ଼ି, ଖୋଲାପଡ଼ିଆରେ ଏଣେତେଣେ ଝାଡ଼ା ନ ଫେରି ପାଇଖାନାର ବନ୍ଦୋବସ୍ତ କରିବା ସଙ୍ଗେ ସଙ୍ଗେ ବଡ଼ ଗାତ ଖୋଳି ସେଥିରେ ଝାଡ଼ା ଯିବା ଉଚିତ । ଖାଇବା ପୂର୍ବରୁ ହାତକୁ ଭଲ ଭାବରେ ସାବୁନ ଓ ପାଣିଦ୍ୱାର ଧୋଇବା ବିଧେୟ । ପିଲା କିମ୍ବା ବୟସ୍କ ଲୋକମାନଙ୍କର ଝାଡ଼ା ପରୀକ୍ଷା କରି ଏହି କୃମିର ଡିମ୍ବ ଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଭଲ । ଥରେ ଔଷଧ ଖାଇଲେ ଜିଆଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ମରନ୍ତି ନାହିଁ । ତେଣୁ କ୍ରମାଗତ ୨/୩ଥର କିମ୍ୱା ୭ଦିନ ବ୍ୟବଧାନରେ ଥରେ ଲେଖାଏଁ ସ୍ୱାସ୍ଥ୍ୟର ଅବସ୍ଥା ଅନୁଯାୟୀ ଏହି ଔଷଧ ଖାଇଲେ ସୁଫଳ ମିଳିଥାଏ । ଏହି କୃମି ଦାଉରୁ ରକ୍ଷା ପାଇବାକୁ ହେଲେ ବିଶୁଦ୍ଧ ପାନୀୟ ତଥା ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଦୃଷ୍ଟି ଦେବା ବିଧେୟ ।

Image